ଭୁବନେଶ୍ୱର,୩୧/୫(ସତ୍ୟପାଠ ବ୍ୟୁରୋ): ନବୀନଙ୍କ ରୁମ୍ରେ ନାହିଁ ଟେଲିଫୋନ କନେକ୍ସନ। ଟିଭିରୁ ବନ୍ଦ କରି ଦିଆଯାଇଛି ଓଡ଼ିଆ ଚ୍ୟାନେଲ | ଗୁରୁବାର ଖବର ସରବରାହ ସଂସ୍ଥା ANIକୁ ସାକ୍ଷାତକାର ଦେଇ ଏଭଳି ଚାଞ୍ଚଲ୍ୟକର ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ନବୀନ ନିବାସରେ ନବୀନଙ୍କ ରୁମ୍ରେ ଡାଇରେକ୍ଟ ଟେଲିଫୋନ କନେକ୍ସନ ନାହିଁ। ନବୀନଙ୍କ ରୁମ୍ ରେ ଯେଉଁ ଟିଭି ଅଛି, ସେଠି ଓଡ଼ିଆ ଚ୍ୟାନେଲ ନାହିଁ। କେବଳ ଇଂଲିଶ ନ୍ୟୁଜ୍ ଚ୍ୟାନେଲ ତାଙ୍କ ଟିଭିରେ ଦିଆଯାଇଛି। ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ମୁଁ ନବୀନଙ୍କୁ 2001 ମସିହାରୁ ବ୍ୟକ୍ତିଗତ ଭାବେ ଜାଣେ | ତାଙ୍କର ଅଭ୍ୟାସ ସେ ଦୈନିକ ସଂଧ୍ୟା ୭ଟାରେ ଓଡ଼ିଆ ଖବର ଦେଖନ୍ତି। ହେଲେ ଏବେ ତାଙ୍କ ଟିଭିରୁ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ କାଟି ଦିଆଯାଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର |
ତେବେ ଗତକାଲି ରାଜ୍ୟରେ ନିର୍ବାଚନ ପ୍ରଚାର ଶେଷ ହୋଇଥିବା ବେଳେ ବିଜେପି- ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଏବେ ଚରମରେ ପହଂଚିଛି | ପ୍ରଧାନମନ୍ତ୍ରୀ ମୋଦି ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ମନ୍ତବ୍ୟ ଦେବା ପରେ ଏବେ ଧର୍ମେନ୍ଦ୍ର ନବୀନଙ୍କ ବେଡ ରୁମ୍ ବାବଦରେ ମନ୍ତବ୍ୟ ଦେବାକୁ ପଛାଇ ନାହାନ୍ତି | ସତେ ଯେମିତି ଧର୍ମେନ୍ଦ୍ରଙ୍କ ଗୁପ୍ତଚର ନବୀନଙ୍କ ରୁମ୍ ପର୍ଯ୍ୟନ୍ତ ମଧ୍ୟ ବ୍ୟାପିଛନ୍ତି | ସେପଟେ ଧର୍ମେନ୍ଦ୍ର ଏଭଳି ମନ୍ତବ୍ୟ ଦେଇ ଦର୍ଶାଇବାକୁ ଚାହିଁଛନ୍ତି ଯେ, ନବୀନଙ୍କୁ ସମସ୍ତଙ୍କ ଠାରୁ ଦୁରାଇ ଦିଆଯାଇଛି | ଏପରିକି ଓଡ଼ିଆ ଚ୍ୟାନେଲ ଦେଖିବାକୁ ମଧ୍ୟ ଦିଆଯାଉ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି |
ସେପଟେ ଧର୍ମେନ୍ଦ୍ରଙ୍କ ଏଭଳି ବୟାନକୁ ନେଇ କଟାକ୍ଷ କରିଛନ୍ତି ଵିଜେଡି ସାଂସଦ ସସ୍ମିତ ପାତ୍ର | ସୋସିଆଲ ମିଡ଼ିଆ X ରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ନବୀନ ନିବାସରେ ଧର୍ମେନ୍ଦ୍ର ସିକ୍ୟୁରିଟି ଗାର୍ଡ ଚାକିରୀ କରୁଥିବା ମୁଁ ଜାଣି ନଥିଲି | 4 ଜୁନରେ ନିଜ ପରାଜୟ ପରେ ଧର୍ମେନ୍ଦ୍ର ମଧ୍ୟ ନିଜ ଟିଭି ଓ ଟେଲିଫୋନକୁ ଭାଙ୍ଗି ଏହାକୁ ବ୍ୟବହାର କରିବା ବନ୍ଦ କରିଦେବେ ବୋଲି କହିଛନ୍ତି ସସ୍ମିତ |





