ଭୁବନେଶ୍ୱର,୦୧/୬(ସତ୍ୟପାଠ ବ୍ୟୁରୋ): ମତଦାନ ସାବ୍ୟସ୍ତ କଲେ ଭିଭିଆଇପି। ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହାରି ଭିତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ପୋଲିଂ ବୁଥ ଆସି ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ପ୍ରତିଥର ପରି ସେ ସେ ଶନିବାର ପ୍ରଥମେ ତାଙ୍କ ବୁଥକୁ ଯାଇ ଭୋଟ୍ ଦେଇଛନ୍ତି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରର ଗୋରଖନାଥଙ୍କ ଝୁଲେଲାଲ ମନ୍ଦିର ନିକଟରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତଙ୍କୁ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି।
ସେ କହିଛନ୍ତି, ଗତ ୨.୫ ମାସ ଧରି ଦେଶର ସାଧାରଣ ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ବିଭିନ୍ନ ଦଳ ଲୋକଙ୍କ ଆଶା ଅନୁଯାୟୀ ଜନସାଧାରଣଙ୍କ ନିକଟରେ ନିଜର ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି। ଆଜି ୫୭ଟି ଆସନରେ ମତଦାନ ଚାଲିଛି। ପ୍ରତିକୂଳ ପାଗ ପରିସ୍ଥିତି ସତ୍ତ୍ୱେ ଭୋଟରଙ୍କ ଉତ୍ସାହ ପାଇଁ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି।
ସେହିପରି ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ହିମାଚଳ ପ୍ରଦେଶର ବିଳାସପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୋଟ୍ ଦେଇଛନ୍ତି। ଏହାପରେ ସେ ଜନସାଧାରଣଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି।
ଭୋଟ୍ ଦେବା ପରେ ସେ କହିଛନ୍ତି ଯେ ମୁଁ ମୋ ବୁଥ୍ର ପ୍ରଥମ ଭୋଟର। ଏକ ସକ୍ଷମ, ସଶକ୍ତ ତଥା ଆତ୍ମନିର୍ଭରଶୀଳ ଭାରତ ପାଇଁ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ମୁଁ ସମସ୍ତ ଭୋଟରଙ୍କୁ ନିବେଦନ କରୁଛି। ମୁଁ ଭୋଟରମାନଙ୍କୁ ଅନୁରୋଧ କରୁଛି ଯେ ଭାରତ ଗଠନରେ ସହଯୋଗ କରନ୍ତୁ।
ସେହିପରି ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଡ୍ଡା ମଧ୍ୟ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ପଞ୍ଜାବର ଆନନ୍ଦପୁର ସାହିବ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲାଖନୋରର ସାହିବଜାଦା ଅଜିତ ସିଂହ ନଗର ଭୋଟ୍ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି।
ଭୋଟ୍ ଦେବା ପରେ ସେ କହିଛନ୍ତି ଯେ ଆଜି ଭାରତରେ ଏକ ମହାନ୍ ପର୍ବ ପାଳନ ହେଉଛି। ନାଗରିକଙ୍କ ପ୍ରତ୍ୟେକ ଭୋଟ୍ ଦେଶର ଦିଗ ଏବଂ ସ୍ଥିତି ସ୍ଥିର କରିବ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରନ୍ତୁ।
ସେହିପରି ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରାନାୱତ ମଣ୍ଡିର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି।
ଭୋଟ୍ ଦେବା ପରେ କଙ୍ଗନା ରାନାୱତ କହିଛନ୍ତି ଯେ ମୁଁ ଗଣତନ୍ତ୍ରର ପର୍ବରେ ଭାଗ ନେବାକୁ ଏବଂ ସେମାନଙ୍କର ଭୋଟ୍ ଦେବାର ଅଧିକାରକୁ ସାବ୍ୟସ୍ତ କରିବାକୁ ଲୋକଙ୍କୁ ନିବେଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲହର ଦେଶରେ ଜାରି ରହିଥିବା ସେ କହିଛନ୍ତି।
ଆଜି ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟିଂ ଚାଲିଛି । ମୋଟ ୫୭ଟି ଆସନରେ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟର୍ଙ୍କ ହାତରେ ରହିଛି।





