ଭୁବନେଶ୍ୱର,୦୧/୬(ସତ୍ୟପାଠ ବ୍ୟୁରୋ): ଆଜି ଦେଶରେ ସାଧାରଣ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟ ମତଦାନ ସରିଛି | ଆଉ ମତଦାନ ପରେ ଆସିଛି ବୁଥ୍ ବାହୁଡ଼ା ମତ ବା EXIT Poll ରିପୋର୍ଟ | ଦେଶର ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ଭାବେ କେଉଁ ଦଳକୁ କେତେ ଆସନ ମିଳିବ ସେନେଇ ଆକଳନ କରିଛନ୍ତି | ତେବେ EXIT Poll ରିପୋର୍ଟ ଉପରେ ନଜର ପକାଇଲେ ପ୍ରାୟ ସମସ୍ତେ ଦେଶରେ ପୁଣି ବିଜେପି ନେତୃତ୍ୱାଧୀନ NDA ସରକାରକୁ ଆସିବ ବୋଲି ଆକଳନ କରିଛନ୍ତି | ସେପଟେ ଓଡିଶା ନେଇ EXIT Poll ଆକଳନ କହୁଛି ବିଜେଡି ଏଠାରେ ବଡ଼ ବିପର୍ଯୟର ସାମ୍ନା କରିବାକୁ ଯାଉଛି |
ଜନ କି ବାତ ର ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶାର 21 ଲୋକସଭା ଆସନ ମଧ୍ୟରୁ ବିଜେପି 15 ରୁ 18 ଆସନ ଜିତି ପାରେ ସେଭଳି ବିଜେଡିକୁ ମାତ୍ର 3-7 ଟି ଆସନ ମିଳିପାରେ ବୋଲି ଆକଳନ କରାଯାଇଛି | ସେପଟେ କଂଗ୍ରେସ ଓଡ଼ିଶାରେ ଖାତା ଖୋଲିବ ନାହିଁ ବୋଲି ଜନ କି ବାତ ର ସର୍ଭେ ରିପୋର୍ଟ କହୁଛି |
ଅନ୍ୟପଟେ ଇଣ୍ଡିଆ ଟିଭିର ସର୍ଭେ ଅନୁସାରେ ବିଜେପିକୁ ୧୫ରୁ ୧୭ଟି ଆସନ ମିଳିପାରେ। ବିଜେଡି ଖାତାକୁ ୪-୬ଟି ଆସନ ଯାଇପାରେ। ସେହିପରି କଂଗ୍ରେସ ପୂର୍ବ ଭଳି ଗୋଟିଏ ଆସନ ଜିତିପାରେ ବୋଲି ସର୍ଭେ ରିପୋର୍ଟ କହୁଛି।
ସେହିପରି ନ୍ୟୁଜ 24 ର ସର୍ଭେ ରିପୋର୍ଟ ଅନୁସାରେ ବିଜେପି କୁ ଓଡିଶାରୁ 16 ଲୋକସଭା ଆସନ ମିଳିପାରେ ଓ ବିଜେଡି ମାତ୍ର 4 ଟି ଆସନ ଜିତିପାରେ | ସେହିପରି କଂଗ୍ରେସ ପୂର୍ବ ଭଳି ଗୋଟିଏ ଆସନ ଜିତିପାରେ ବୋଲି ନ୍ୟୁଜ 24 ର ସର୍ଭେ ରିପୋର୍ଟ କହୁଛି।
ଚାଣକ୍ୟ ପକ୍ଷରୁ କରାଯାଇଥିବା ଏକଜିଟ ପୋଲ କହୁଛି ବିଜେପି ରାଜ୍ୟରେ ୧୬ଟି ଲୋକସଭା ଆସନରେ ବିଜୟୀ ହେବ। ବିଜେଡିକୁ ୪ଟି ଆସନ ମିଳିବ। ୨୦୧୯ ଭଳି କଂଗ୍ରେସକୁ ଏଥର ମଧ୍ୟ ଗୋଟିଏ ଆସନ ମିଳିବ।
ତେବେ ସବୁ EXIT Pollର ଆକଳନ ପ୍ରାୟ ସମାନ କଥା ଦର୍ଶାଉଛି | ବିଜେପି ଏଠାରୁ ଲୋକସଭାରେ ବିପୁଳ ବିଜୟ ହାସଲ କରୁଥିବା ବଳେ ବିଜେଡି ବଡ଼ ବିପର୍ଯୟର ସାମ୍ନା କରିପାରେ ବୋଲି ଆକଳନ କରାଯାଉଛି | ତେବେ ବାସ୍ତବରେ କାହାକୁ କେତେ ଆସନ ମିଳୁଛି ତାହା ଜୁନ 4 ରେ ଭୋଟ ଗଣତି ପରେ ଜଣା ପଡିବ |





