ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ସଂଗୀନ ଅଭିଯୋଗ

ଭୁବନେଶ୍ୱର,୧୩/୭(ସତ୍ୟପାଠ ବ୍ୟୁରୋ):  ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ସଂଗୀନ ଅଭିଯୋଗ। ରଥଯାତ୍ରା ସମୟରେ ପୁରୀ ରାଜଭବନରେ ରାଜ୍ୟାପାଳଙ୍କ ପୁଅ ଲଳିତ କୁମାର ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣା ବିଷୟରେ ବୈକୁଣ୍ଠ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ପ୍ରଥମେ ମୌଖିକ ଭାବେ ଜଣାଇଥିଲେ ହେଲେ କୌଣସି ସୁଫଳ ନମିଳିବାରୁ, ଲିଖିତ ଭାବେ ମଧ୍ୟ ଜଣାଇଥିଲେ, ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେହେବାରୁ, ପରେ ଏହି ଘଟଣାକୁ ନେଇ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ବୈକୁଣ୍ଠଙ୍କ ପତ୍ନୀ ।

ମିଳିଥିବା ସୂଚନା ଅନୁଯାୟୀ, ସଂସଦୀୟ ବ୍ୟାପାର ବିଭାଗର ଏଏସଓ ବୈକୁଣ୍ଠ ପ୍ରଧାନ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପୁରୀରେ ରଥଯାତ୍ରା ଦିନ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିଲେ। ବୈକୁଣ୍ଠ ପ୍ରଧାନ ଦାୟର କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ ଜୁଲାଇ ୭ ଓ ୮ ତାରିଖ ଦୁଇ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରହଣି ବ୍ୟବସ୍ଥା ତଦାରଖ ପାଇଁ ତାଙ୍କୁ ରାଜଭବନରେ ନିୟୋଜିତ କରାଯାଇଥିଲା। ପୁରୀ ରାଜଭବନରେ ଗତ ୭ତାରିଖ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କର ଅନ୍ୟ ୫ଜଣ ସହଯୋଗୀ ମିଳିତ ଭାବେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। 

ଏହି ଘଟଣା ସାମ୍ନାକୁ ଆସିବା ପରେ ଗଣମାଧ୍ୟମ ଠୁ ନେଇ ସୋଶିଆଲ ମିଡ଼ିଆ ଚାରିଆଡେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ଏପରିକି ଜାତୀୟ ମାନବାଧିକାର କମିଶନରେ ମଧ୍ୟ ଏନେଇ ଅଭିଯୋଗ କରାଯାଇଛି | ଓଡିଶା ସେକ୍ରେଟେରିଏଟ ସର୍ଭିସ ଆସୋସିଏସନ ମଧ୍ୟ ଟ୍ୱିଟ କରି ଏହାର ପ୍ରତିବାଦ କରିଛି | ତେବେ ଏହି ପୁରା ଘଟଣାରେ ଏପର୍ଯ୍ୟନ୍ତ ରାଜ୍ୟପାଳ ରଘୁବର ଦାସ, ତାଙ୍କ ପୁଅ ଲଳିତ କୁମାର କିମ୍ବା ରାଜଭବନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ |

Related Posts