ଶଂଖ ଭବନ ପଛରେ ବିରାଟ ଜମି ଜାଲିଆତି: ସଡକ ଓ ୧୦୦ କୋଟିର ସମ୍ପତିକୁ ୧୨ କୋଟିରେ ନେଇଛି ବିଜେଡି

ଭୁବନେଶ୍ୱର,୨୦/୭(ସତ୍ୟପାଠ ବ୍ୟୁରୋ):  କ୍ଷମତା ଓ ଅହଂକାରର କେତେ ତାକତ୍ ତାହା କରିକି ଦେଖାଇଛନ୍ତି ପୂର୍ବ ସରକାର । ରାଜଧାନୀର ଛାତିରେ ବେଆଇନ ଭାବେ ନିର୍ମାଣ ହୋଇଛି ବିଜେଡିର ଶଙ୍ଖ ଭବନ । କିସମ ‘ସଡ଼କ’ କୁ ଘରବାଡ଼ି କିସମରେ ବଦଳାଇ ତାହା ଉପରେ ତୋଳା ହୋଇଛି ବିଜେଡି ଅଫିସ୍ ସୌଧ । ଖାଲି ସେତିକି ନୁହେଁ, ସବୁ ନିୟମ କାନୁନକୁ ମୋଡ଼ି ମକଚି ଏହି ଜାଗାକୁ ସରକାରଙ୍କଠାରୁ ଶାଗମାଛ ଦରରେ କିଣି ନେଇଛନ୍ତି । ପୂର୍ବ ସରକାରର ଅଘୋଷିତ ମୁଖିଆ ଓ ଦଳର ସାଂଗଠନିକ ସମ୍ପାଦକଙ୍କ ତତ୍ତ୍ୱାବଧାନରେ ଉକ୍ତ ସାଂଘାତିକ ବେଆଇନ କାର୍ଯ୍ୟ ଅନାୟାସରେ କରାଯାଇଛି । ଅନୁସନ୍ଧାନ ବେଳେ ଏହି ଗର୍ହିତ କାର୍ଯ୍ୟର ସବୁ ଦସ୍ତାବିଜ୍ ‘ସତ୍ୟପାଠ’ ର ହସ୍ତଗତ ହୋଇଛି ।

୪ଟି ପ୍ଲଟ୍ କୁ ମିଶାଇ ୧ ଏକର ୧୮୩ ଡିସିମିଲି ଜାଗା ଉପରେ ନିର୍ମିତ ହୋଇଛି ଶଙ୍ଖ ଭବନ । ସେଗୁଡ଼ିକ ହେଉଛି ଗଙ୍ଗନଗର ମୌଜାର ପ୍ଲଟ୍ ନଂ ୭୯୭(ptଟି), ପ୍ଲଟ୍ ନଂ ୮୦୦, ପ୍ଲଟ୍ ନଂ ୭୯୭/୮୪୯ ଏବଂ ପ୍ଲଟ୍ ନଂ ୭୯୮(pt) । ପ୍ରଥମ ତିନୋଟି ପ୍ଲଟ୍ ର କିସମ ଘରବାଡ଼ି ଥିଲା ବେଳେ ଚତୁର୍ଥ ପ୍ଲଟ୍ ଅର୍ଥାତ୍ ୭୯୮(pt) ର ଜାଗାର କିସମ ହେଉଛି ରୋଡ୍ ବା ସଡ଼କ । ସୂଚନାଥାଉକି, ଏହି ଜାଗାଟିକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଆବେଦନକାରୀ ବିଜେଡିକୁ ଲିଜ୍ ସୂତ୍ରରେ ଦେଇଛନ୍ତି । ଏହାର କିସମ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଲିଜ୍ ଡିଡ୍ ରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ।

ମାତ୍ର ହୋଇଛି କ’ଣ? ଏହି ପ୍ଲଟ୍ କୁ ଅନ୍ୟ ତିନୋଟି ଘରବାଡ଼ି ପ୍ଲଟ୍ ସହ ମିଶାଇ ଶଙ୍ଖ ଭବନ ନିର୍ମିତ ହୋଇଛି । ତାହା ପୁଣି ସରକାରଙ୍କ ଅନୁମୋଦନରେ । ଅର୍ଥାତ୍ ଏକ ପ୍ରାଇଭେଟ୍ ପାର୍ଟି(ବିଜେଡି) କୁ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ସଡ଼କ ଉପରେ ଘର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି । କଥା ସେତିକିରେ ସରିନାହିଁ । ଏହି ଜାଗା ଉପରେ ଥିବା କ୍ୱାର୍ଟର୍ସଗୁଡ଼ିକର ମୂଲ୍ୟାଙ୍କନରେ ମଧ୍ୟ ସାଂଘାତିକ ଗଫଲତି କରାଯାଇଛି । ଏହି ସମ୍ପତ୍ତିର ବଜାର ମୂଲ୍ୟ ୧୦୦ କୋଟିରୁ ଅଧିକ ଟଙ୍କା ହୋଇଥିଲା ବେଳେ ବେଞ୍ଚ ମାର୍କ ଦରଠାରୁ କମ୍ ଦରରେ ମାତ୍ର ୧୨ କୋଟି ୯୩ ଲକ୍ଷ ୯୨ ହଜାର ୧୨୩ ଟଙ୍କାରେ ଦେଇ ଦିଆଯାଇଛି ।

ଅତି ଯୋଜନାବଦ୍ଧ ଭାବେ ଏହି ୪ଟି ପ୍ଳଟ୍ କୁ ବିଜୁ ଜନତା ଦଳ ହାତରେ ଟେକି ଦିଆଯାଇଛି । ସେଥିପାଇଁ ସବୁ ବେଆଇନ କାର୍ଯ୍ୟକୁ ଅତି ଚତୁରତାର ସହ ଆପଣାଯାଇଛି । ଏହି କାରସାଦିରେ କିଭଳି ସରକାରୀ କଳକୁ ବ୍ୟବହାର କରାଯାଇଛି ତାହା ଆମେ ଏଠାରେ ଗୋଟି ଗୋଟି କରି ଉଲ୍ଲେଖ କରୁଛୁ । ଯାହାର ସବୁ ଦସ୍ତାବିଜ୍ ଆମର ହସ୍ତଗତ ହୋଇଛି ।

ବିଜେଡି ସଭାପତି ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧିକୃତ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ ୪ଟି କ୍ୱାର୍ଟର୍ସ ଏବଂ ସଂଲଗ୍ନ ଜାଗାକୁ ଦଳ ନାଁରେ କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ ୧୮.୧୧.୨୦୨୦ରେ ଆବେଦନ କରିଥିଲେ । ଏହି ଆବେଦନର ବିଚାର ପାଇଁ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ୨୭.୧୧.୨୦୨୦ରେ ଲ୍ୟାଣ୍ଡ୍ ଆଲଟମେଣ୍ଟ କମିଟିର ବୈଠକ ବସିଥିଲା । କମିଟି ପାଖରେ କେବଳ ଜମି ଆବଣ୍ଟନର ବିଚାର କ୍ଷମତା ଥିବା ବେଳେ ସେମାନେ କିନ୍ତୁ ସଂପୃକ୍ତ କ୍ୱାର୍ଟର୍ସ ଏବଂ ସଂଲଗ୍ନ କିସମ ରାସ୍ତାକୁ ବିଜେଡିକୁ ଲିଜ୍ ସୂତ୍ରରେ ଦେବାର ପ୍ରସ୍ତାବକୁ ଅନୁମୋଦନ କରି ୧୮.୧୨.୨୦୨୦ ରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫାଇଲ୍ ପଠାଇଥିଲେ । ତା’ ପରଦିନ ୨୧.୧୨.୨୦୨୦ରେ ମୁଖ୍ୟମନ୍ତ୍ରୀ ଏହି ଫାଇଲ୍ ଉପରେ ‘ଯଥା ପ୍ରସ୍ତାବିତ’ ଲେଖିଥିଲେ । ଅତଏବ ଏହି ୪ଟା କ୍ୱାର୍ଟର୍ସ ଥିବା ଜାଗା ବିଜେଡିକୁ ଲିଜ୍ ସୂତ୍ରରେ ଦେଇଦିଆଗଲା ।

ଏହାର ଦ୍ୱିତୀୟ ଭାଗଟି ହେଉଛି- କ୍ୱାର୍ଟର୍ସଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ । ସାଧାରଣ ପ୍ରଶାସନ ବିଭାଗର ନିୟମ କହୁଛି, କୌଣସି ସରକାରୀ ଜାଗା କିମ୍ବା ଘରକୁ ସରକାରୀ ଅନୁଷ୍ଠାନକୁ ଲିଜ୍ ସୂତ୍ରରେ ବିକ୍ରୀ ହେଲେ ବେଞ୍ଚ ମାର୍କ ଭାଲ୍ୟୁଏସନ୍ କରାଯାଏ । ମାତ୍ର ଘରୋଇ ବ୍ୟକ୍ତି କିମ୍ବା ଅନୁଷ୍ଠାନଙ୍କୁ ବିକ୍ରୀ(ଲିଜ୍) କ୍ଷେତ୍ରରେ ବଜାର ମୂଲ୍ୟ ନିର୍ଦ୍ଧାରଣ ହୋଇଥାଏ । ଏହା ଓଡ଼ିଶା ଲ୍ୟାଣ୍ଡ ସେଟଲମେଣ୍ଟ(ସେକେଣ୍ଡ ଆମେଣ୍ଡମେଣ୍ଟ), ରୁଲ୍ ୨୦୨୦ର ଧାରା-୫(୨)ରେ ଉଲ୍ଲେଖ ରହିଛି । ବିଜେଡି ଏକ ରାଜନୈତିକ ଦଳ ବା ବେସରକାରୀ ଅନୁଷ୍ଠାନ ହୋଇଥିବାରୁ ସରକାରୀ ସମ୍ପତ୍ତି ବିକ୍ରୀରେ ବଜାର ଦର ଧାର୍ଯ୍ୟ କରାଯିବା କଥା । ମାତ୍ର ତାହା କରାଯାଇନାହିଁ । ବେଞ୍ଚ ମାର୍କ ଭାଲ୍ୟୁଏସନ୍ ଲାଗୁ କରାଯାଇ ସେଥିରେ ପୁଣି ହେରଫେର କରାଯାଇଛି । ମାର୍କେଟ୍ ଭାଲ୍ୟୁଏସନ୍ ରେ ୧ ଏକର ୧୮୩ ଡିସିମିଲି ଜାଗାର ମୂଲ୍ୟ ୧୦୦ କୋଟିରୁ ଅଧିକ ହୋଇଥିଲା ବେଳେ ତାହାକୁ ମାତ୍ର ୧୨ କୋଟି ୩୮ ଲକ୍ଷ ୬୦ ହଜାର ୧୬୦ ଟଙ୍କାରେ ଦିଆଯାଇଛି ।

ଆହୁରି ସାଂଘାତିକ କଥାଟି ହେଉଛି, ସରକାରୀ ସମ୍ପତ୍ତିର ମୂଲ୍ୟାଙ୍କନ କ୍ଷମତା ସବରେଜିଷ୍ଟ୍ରର କିମ୍ବା କ୍ଷମତାପ୍ରାପ୍ତ ରେଜିଷ୍ଟରଡ୍ ଭାଲ୍ୟୁଅରଙ୍କ ପାଖରେ ଥିଲା ବେଳେ ଶଙ୍ଖ ଭବନ ନିର୍ମାଣ ଜାଗାରେ ଥିବା ୪ ଗୋଟି କ୍ୱାର୍ଟର୍ସର ମୂଲ୍ୟାଙ୍କନ କରିଛନ୍ତି ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ୍-୨ ର ଏକଜ୍ୟୁଟିଭ୍ ଇଞ୍ଜିନିୟର । ଯାହା ସମ୍ପୂର୍ଣ୍ଣ ବେଆଇନ । ତତ୍କାଳୀନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସେ ବିଶ୍ୱସ୍ତ ହୋଇଥିବାରୁ ତାଙ୍କୁ ଏହି କାମରେ କୁଆଡ଼େ ନିୟୋଜିତ କରାଯାଇଥିଲା । ୨୪.୧୨.୨୦୨୦ ରେ ଡାଇରେକ୍ଟର, ଇଷ୍ଟେଟ୍ ଏକ ଚିଠିରେ ତାଙ୍କୁ ଉକ୍ତ କ୍ୱାର୍ଟର୍ସଗୁଡ଼ିକର ମୂଲ୍ୟାୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଉ ୨୮.୧୨.୨୦୨୦ ରେ ଏକଜ୍ୟୁଟିଭ୍ ଇଞ୍ଜିନିୟର ମହୋଦୟ ମୂଲ୍ୟାୟନ ରିପୋର୍ଟ ଦେଇଥିଲେ ।

ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରାଜଧାନୀର ଛାତି ଉପରେ ଥିବା କ୍ୟାପିଟାଲ୍ ହସ୍ପିଟାଲ୍ ସଂଲଗ୍ନ ଉକ୍ତ ଜାଗାରେ ବିଜେଡିର ପୁରୁଣା ପାର୍ଟି ଅଫିସ୍ ଥିବା Qtr No. 6R-3କୁ ୩୦ ଲକ୍ଷ ୫୩ ହଜାର ୫୭୩ ଟଙ୍କାରେ ମୂଲ୍ୟାଙ୍କନ କରାଯାଇଥିବା ବେଳେ Qtr No. V-1/2, Qtr No. V-2/1 ଏବଂ Qtr No. V-2/2 କୁ ସମାନ ଭାବରେ ୮ ଲକ୍ଷ ୨୬ ହଜାର ୧୫୦ ଟଙ୍କାରେ ମୂଲ୍ୟାଙ୍କନ କରାଯାଇଛି । ଅର୍ଥାତ୍ ଭୁବନେଶ୍ୱର ଛାତିରେ ଥିବା ସଂପୃକ୍ତ ଚାରୋଟି କ୍ୱାର୍ଟର୍ସର ମୂଲ୍ୟ ମାତ୍ର ୫୫ ଲକ୍ଷ ୩୨ ହଜାର ୨୩ ଟଙ୍କା ବୋଲି ମୂଲ୍ୟାଙ୍କନ କରିଛନ୍ତି ଏକଜ୍ୟୁଟିଭ୍ ଇଞ୍ଜିନିୟର ମହୋଦୟ । ରେଜିଷ୍ଟରଡ୍ ଭାଲ୍ୟୁଅର୍ ନ ହୋଇ ମଧ୍ୟ ତାଙ୍କର ମୂଲ୍ୟାଙ୍କନକୁ ଇଷ୍ଟେଟ୍ ନିର୍ଦ୍ଦେଶକ ସରକାରଙ୍କ ବିନା ଅନୁମୋଦନରେ ଅତି କମ୍ ମୂଲ୍ୟରେ ବିଜେଡିକୁ ଟେକିଦେଲେ ।

ଏହି ରିପୋର୍ଟ ଭିତ୍ତିରେ ୨୯.୧୨.୨୦୨୦ରେ ଆଲଟମେଣ୍ଟ ଅର୍ଡର ଇସ୍ୟୁ ହେଲା । ଆଶ୍ଚର୍ଯ୍ୟଜନକ ଭାବେ ଉପରୋକ୍ତ ଧାର୍ଯ୍ୟ ମୂଲ୍ୟରେ ବିଜେଡିକୁ ପ୍ଲଟ୍ ଦିଆଯିବ ନା ନାହିଁ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଫାଇଲ୍ ପଠା ଗଲାନାହିଁ । ବୋଧହୁଏ ମୁଖ୍ୟମନ୍ତ୍ରୀ ଏହି ବେଆଇନ କାରବାରର କଳଙ୍କ ବୋହିବାକୁ ଚାହିଁଲେ ନାହିଁ । ଏଥିରୁ ସ୍ପଷ୍ଟ ବୁଝାପଡୁଛି ଏହି ସମ୍ପୂର୍ଣ୍ଣ କାରବାରରେ ବିଜେଡିକୁ ଅନୁଗ୍ରହ ଦିଆଯାଇ ସରକାରଙ୍କର କୋଟି କୋଟି ଟଙ୍କା ରାଜସ୍ୱ ହାନି ହୋଇଛି । ଏହାର କିଭଳି ଭରଣା ହେବ ତାହା ଏବେ ଦେଖିବାର କଥା ।

Related Posts