ରାଜ୍ୟରେ ହୋଇଛି ଆହୁରି ୧୦ ଲକ୍ଷ ରାସନ କାର୍ଡ ଆବେଦନ; ବିଧାନସଭାରେ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର,୨୧/୮(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୩ କୋଟି ୨୫ ଲକ୍ଷ ୯୩ ହଜାର ୮୭୫ ଜଣଙ୍କୁ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦ ଲକ୍ଷ ୨ ହଜାର ୧୪୪ ଜଣ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦିଆଯାଉଛି ।

ଆଜି ଗୃହରେ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ମୋଟ ୯ ଲକ୍ଷ ୯୧ ହଜାର ୯୨୯ ଆବେଦନକାରୀ ରାସନକାର୍ଡ ପାଇବା ପାଇଁ ଆବେଦନ କରିଛନ୍ତି । ବର୍ତ୍ତମାନ ଏହି ସବୁ ଆବେଦନ ପତ୍ର ଗୁଡିକର ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଯାଞ୍ଚ କରାଯିବାକୁ ପଦକ୍ଷେପ ନିଆଯାଉଛି । ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ରାଜ୍ୟରେ ଯୋଗାଣ ବିଭାଗ ଦ୍ୱାରା ଖାଦ୍ୟ ସୁରକ୍ଷା ଯୋଜନାରେ କେତେ ହିତାଧିକାରୀଙ୍କୁ ଚାଉଳ ଓ ଅନ୍ୟାନ ସାମଗ୍ରୀ ଯୋଗାଇ ଦିଆଯାଉଛି ଓ କେତେ ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ଦେବାକୁ ଚିହ୍ନଟ କରାଯାଇଛି ତାହାର ବିବରଣୀ ମାଗିଥିଲେ ଡାବୁଗାଁ ବିଧାୟକ ।

Related Posts