ଭୁବନେଶ୍ୱର,୨୭/୮(ସତ୍ୟପାଠ ବ୍ୟୁରୋ): ଜାରି ରହିଛି ଜାତୀୟ ରାଜପଥ-୫୫ର ପ୍ରଶସ୍ତୀକରଣ କାର୍ଯ୍ୟ । ଏହାର ଅଗ୍ରଗତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ସମୀକ୍ଷା କରିଛନ୍ତି। ବଇଣ୍ଡା ସେକ୍ସନ୍ ଓ ନାକ୍ଚିଠାରେ ଜାତୀୟ ରାଜପଥ କାର୍ଯ୍ୟର ଅଗ୍ରଗତି ନେଇ ଏନ୍ଏଚ୍ଏଆଇ ଅଧିକାରୀମାନଙ୍କ ସହ ସେ ଆଲୋଚନା କରିବା ସହ ନିର୍ମାଣ କାମ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ଅଧିକାରୀମାନଙ୍କ ସହ ଆଲୋଚନା ପରେ ଶ୍ରୀ ପ୍ରଧାନ କହିଛନ୍ତି, ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ବଇଣ୍ଡା ସେକ୍ସନ୍ରେ ଓଭରବ୍ରିଜ୍ କାମ ଚାଲୁ ରହିଛି। ଏହା ସମ୍ପୂର୍ଣ୍ଣ ହେବା ପରେ ଅଣ୍ଡରପାସ୍ରେ ଗୋଟିଏ ସ୍ପାନ ପରିବର୍ତ୍ତେ ଦୁଇଟି ସ୍ପାନ୍ କରିବା ପାଇଁ ଲୋକମାନେ ଦାବି କରିଛନ୍ତି। ଆଠମଲ୍ଲିକ ସହର ବଢ଼ୁଥିବାରୁ ଦୁଇଟି ସ୍ପାନ୍ ହେଲେ ଭବିଷ୍ୟତ ପାଇଁ କାମରେ ଆସିବ। ସେହିପରି ନାକଚିଠାରେ ଜାତୀୟ ରାଜପଥ କାର୍ଯ୍ୟ ମଧ୍ୟ ଜାରି ରହିଛି। ଜନସାଧାରଣଙ୍କ ସୁବିଧା ତଥା ସେମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବାକୁ ଏନ୍ଏଚ୍ଏଆଇର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଓଡ଼ିଶାରେ ସଡ଼କପଥ ଭିତ୍ତିଭୂମିର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି।





