ଓଡ଼ିଶାରେ ମୋଟ ଥାନାକୁ ନେଇ କିଏ କହୁଛି ସତ? ମୁଖ୍ୟମନ୍ତ୍ରୀ ନା ଆଡଭୋକେଟ ଜେନେରାଲ?

 

ଭୁବନେଶ୍ୱର,୨୪/୯(ସତ୍ୟପାଠ ବ୍ୟୁରୋ):  ଭରତପୁର ଥାନା ଅଘଟଣକୁ ନେଇ ମାନ୍ୟବର ଓଡିଶା ହାଇକୋର୍ଟ ନିଜ ଆଡୁ ଜନସ୍ୱାର୍ଥ ମାମଲା ରୁଜୁ କରି ସୋମବାର ଦିନ ଶୁଣାଣି କରିଛନ୍ତି । ଆଉ ଏହି ସମୟରେ ଅନେକ ରୋଚକ ତଥ୍ୟ ସାମ୍ନାକୁ  ଆସିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଥାନାରେ ସିସିଟିଭି ସଂଯୋଗ ବାଧ୍ୟତାମୂଳକ ଥିବାବେଳେ ଏବେ ବି ରାଜ୍ୟର ଅନେକ ଥାନାରେ ସିସିଟିଭି ସଂଯୋଗୀକରଣ ହୋଇନାହିଁ । ଏ ନେଇ ମାନ୍ୟବର ମୁଖ୍ୟ ବିଚାରପତି ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ । ରାଜ୍ୟର କେତୋଟି ଥାନାରେ ସିସିଟିଭି ସଂଯୋଗୀକରଣ ହୋଇଛି ଏ ନେଇ ଆସନ୍ତା ୮ ଅକ୍ଟୋବର ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ଅନ୍ୟପଟେ ରାଜ୍ୟର ମୋଟ ଥାନା ସଂଖ୍ୟା କେତେ ? କେତେ ଥାନାରେ ସିସିଟିଭି ଲାଗିଛି ସେନେଇ ଖୋଦ ସରକାର ଭିନ୍ନ ଭିନ୍ନ ତଥ୍ୟ ଦେଇଛନ୍ତି । ଗତକାଲି ଶୁଣାଣି ବେଳେ ରାଜ୍ୟ ସରକାରଙ୍କୁ ପ୍ରତିନିଧିତ୍ବ କରୁଥିବା ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କୋର୍ଟଙ୍କୁ କହିଥିଲେ ଯେ, ରାଜ୍ୟରେ ମୋଟ ୬୫୦ ପୋଲିସ ଥାନା ମଧ୍ୟରୁ ୫୯୩ ପୋଲିସ ଥାନାରେ ସିସିଟିଭି ସଂଯୋଗୀକରଣ ହୋଇଛି। 

ହେଲେ କେନ୍ଦ୍ର ଗୃହ ମନ୍ତ୍ରାଳୟର ତଥ୍ୟ ଅନୁସାରେ ୧ ଜାନୁଆରୀ ୨୦୨୩ ସୁଦ୍ଧା ରାଜ୍ୟରେ ମୋଟ ୬୭୯ ପୋଲିସ ଥାନା କାର୍ଯ୍ୟକ୍ଷମ ଥିବା ବେଳେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ମୋଟ ୧୩୬୪୭ ସିସିଟିଭି ସ୍ଥାପନ ହୋଇଥାନ୍ତା କିନ୍ତୁ ମାତ୍ର ୫୯୧ ଥାନାରେ ୧୧୮୮୭ ସିସିଟିଭି ଲାଗିଥିଲା । ଆହୁରି ୮୮ ଥାନାରେ  ୧୭୬୦ ସିସିଟିଭି ଲାଗି ନଥିଲା । ଅନ୍ୟପଟେ ଗତ ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଇଥିବା ତଥ୍ୟ ଭିନ୍ନ କଥା କହୁଛି । ବିଧାୟକ ଅଶ୍ବିନୀ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ମୋଟ ମୋଟ ୬୮୫ ପୋଲିସ ଥାନା ରହିଛି | ସେହିପରି ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ଥାନାଗୁଡିକରେ ତଦନ୍ତରେ ସ୍ୱଚ୍ଛତା ନିମନ୍ତେ ସିସିଟିଭି ସଂଯୋଗୀ କରଣ କରାଯାଇଅଛି । 

ତେବେ ହାଇକୋର୍ଟରେ ଆଡଭୋକେଟ ଜେନେରାଲ ଦେଇଥିବା ତଥ୍ୟ, କେନ୍ଦ୍ର ଗୃହ ମନ୍ତ୍ରାଳୟର ତଥ୍ୟ ଆଉ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଇଥିବା ତଥ୍ୟ ମେଳ ଖାଉନି । ଅର୍ଥାତ ରାଜ୍ୟରେ କେତେ ଥାନା ଅଛି ଏବେ ତାହା ସବୁଠାରୁ ସବୁଠାରୁ ବଡ଼ ପ୍ରଶ୍ନ । ଆଉ ସରକାରଙ୍କ ତଥ୍ୟ ସହିତ କିଏ ଖେଳ କରୁଛି ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

Related Posts