ଭାରତୀୟ ସେନା ଓ ବାୟୁସେନାରେ ବଡ଼ ଅଦଳବଦଳ, ୩ ବରିଷ୍ଠ ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତୀୟ ସେନା ଓ ବାୟୁସେନାରେ ବଡ଼ ଅଦଳବଦଳ । ୩ ବରିଷ୍ଠ ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏହି ପରିବର୍ତ୍ତନରେ ଏୟାରମାର୍ଶଲ ତେଜିନ୍ଦର ସିଂହ ବାୟୁସେନା ପ୍ରଶିକ୍ଷଣ କମାଣ୍ଡ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଏୟାରମାର୍ଶଲ ଆଶୁତୋଷ ଦିକ୍ଷୀତଙ୍କୁ ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ (ସିଆଇଏସସି) ମୁଖ୍ୟ ନିଯୁକ୍ତ କରାଯାଇଛି। ଏହା ସହିତ ଲେଫ୍ଟନାଣ୍ଟ ଜେନେରାଲ ପ୍ରତୀକ ଶର୍ମା ନର୍ଦ୍ଦନ ଆର୍ମି କମାଣ୍ଡରେ କମାଣ୍ଡର-ଇନ-ଚିଫ ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେପଟେବେଙ୍ଗାଲୁରସ୍ଥିତ ମୁଖ୍ୟାଳୟରେ ଏୟାରମାର୍ଶଲ ତେଜିନ୍ଦର ସିଂହ ବାୟୁସେନା ପ୍ରଶିକ୍ଷଣ କମାଣ୍ଡ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିବା ବେଳେ ସେ ଯୁଦ୍ଧସ୍ମାରକରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରତିରକ୍ଷା ମୁଖପାତ୍ରଙ୍କ କାର୍ଯ୍ୟାଳୟ ଏହି ସୂଚନା ସୋସିଆଲ ମିଡିଆ ଏକ୍ସ ରେ ସେୟାର କରିଛନ୍ତି।

ଏୟାରମାର୍ଶଲ ସିଂହ ଜୁନ ୧୯୮୭ରେ ବାୟୁସେନାରେ ଯୋଗ ଦେଇଥିଲେ ଓ ତାଙ୍କର ୪,୫୦୦ ଘଣ୍ଟାରୁ ଅଧିକ ଉଡାଣର ଅଭିଜ୍ଞତା ରହିଛି। ଅନ୍ୟପଟେ ନୂଆଦିଲ୍ଲୀରେ ଏୟାର ମାର୍ଶଲ ଆଶୁତୋଷ ଦିକ୍ଷୀତ ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ (ସିଆଇଏସସି) ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଏଲହାବାଦରେ ସେଣ୍ଟ୍ରାଲ ଏୟାରଫୋର୍ସ କମାଣ୍ଡରେ ଏୟାର ଅଫିସର କମାଣ୍ଡିଂ ଇନ-ଚିଫ୍ ପଦବୀରେ ଅବସ୍ଥାପିତ ଥିଲେ। ସେ ୨୦ରୁ ଅଧିକ ପ୍ରକାରର ବିମାନରେ ୩,୩୦୦ ଘଣ୍ଟାର ଉଡାଣ ଅଭିଜ୍ଞତା ରଖନ୍ତି। ସେ ଅତିବିଶିଷ୍ଟ ସେବା ପଦକ ସହିତ ବାୟୁସେନା ପଦକ ଓ ବିଶିଷ୍ଟ ସେବା ପଦକରେ ସମ୍ବର୍ଦ୍ଧିତ ହୋଇଛନ୍ତି। ସେହିପରି ଲେଫ୍ଟନାଣ୍ଟ ଜେନେରାଲ ପ୍ରତୀକ ଶର୍ମା ଉଦ୍ଦମପୁରସ୍ଥିତ ନର୍ଦ୍ଦନ ଆର୍ମି କମାଣ୍ଡରେ କମାଣ୍ଡର-ଇନ-ଚିଫ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଲେଫ୍ଟନାଣ୍ଟ ଜେନେରାଲ ଏମ.ଭି.ସୁଚନ୍ଦ୍ର କୁମାରଙ୍କ ସ୍ଥାନ ଗ୍ରହଣ କରିଛନ୍ତି। ସୁଚନ୍ଦ୍ର କୁମାର ୩୦ ବର୍ଷର ଉଲ୍ଲେଖନୀୟ ସେବା ପରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏଠାରେ ପ୍ରତୀକ ଶର୍ମାଙ୍କ କାର୍ଯ୍ୟକାଳ ମାତ୍ର ୧୫ ମାସର ହେବ। ପ୍ରତୀକ ଶର୍ମା ଜଣେ ଅଭିଜ୍ଞ ସ୍ଥଳ ସେନା ଅଧିକାରୀ ଓ ସେ ଅପରେସନ ପବନ, ମେଘଦୂତ, ରକ୍ଷକ ଏବଂ ପରାକ୍ରମ ଭଳି ଅଭିଯାନରେ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଛି ।

Related Posts