ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବଡ଼ ପୁଅ ତେଜପ୍ରତାପଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଆରଜେଡି ମୁଖ୍ୟ ଲାଲୁ ଯାଦବ । ଲାଲୁ ତେଜ ପ୍ରତାପଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛନ୍ତି । ଏହା ସହିତ ତାଙ୍କୁ ପରିବାରରୁ ମଧ୍ୟ ବହିଷ୍କାର କରିଛନ୍ତି । ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲାଲୁ ସ୍ପଷ୍ଟ ସୂଚନା ଦେଇଛନ୍ତି ।
ଲାଲୁ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଏବେ ତେଜ ପ୍ରତାପଙ୍କର ପରିବାର ଏବଂ ଦଳରେ କୌଣସି ଭୂମିକା ନାହିଁ ।ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅଣଦେଖା କରିବା ସାମାଜିକ ନ୍ୟାୟ ପାଇଁ ଆମର ସାମୂହିକ ସଂଘର୍ଷକୁ ଦୁର୍ବଳ କରିଥାଏ । ବଡ଼ ପୁଅର କାର୍ଯ୍ୟକଳାପ, ସାର୍ବଜନୀନ ଆଚରଣ ଏବଂ ଦାୟିତ୍ୱହୀନ ଆଚରଣ ଆମ ପାରିବାରିକ ମୂଲ୍ୟବୋଧ ଏବଂ ପରମ୍ପରା ଅନୁଯାୟୀ ନୁହେଁ । ତେଣୁ ମୁଁ ତାଙ୍କୁ ଦଳ ଏବଂ ପରିବାରଠାରୁ ଦୂରେଇ ରଖୁଛି । ଏବେଠାରୁ ତାଙ୍କର ଦଳ ଏବଂ ପରିବାରରେ କୌଣସି ପ୍ରକାରର ଭୂମିକା ରହିବ ନାହିଁ । ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି ।
ତେବେ ତେଜ ପ୍ରତାପ ଗତକାଲି ପ୍ରେମିକା ଅନୁଷ୍କା ଯାଦବଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଘୋଷଣା କରିଥିଲେ । ତେଜ ପ୍ରତାପ ପ୍ରେମିକା ଅନୁଷ୍କା ଯାଦବଙ୍କ ସହ ଏକ ଫଟୋ ସେୟାର କରି ଗତ ୧୨ ବର୍ଷ ଧରି ଅନୁଷ୍କାଙ୍କ ସହ ସମ୍ପର୍କରେ ଥିବା ଲେଖିଥିଲେ । ହେଲେ ପରେ ଏହାକୁ ଡିଲିଟ କରି ଦେଇ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାକ ହୋଇଯାଇଥିବା ଲେଖିଥିଲେ | ଏହାସହିତ ଫଟୋକୁ ମଧ୍ୟ ଏଡିଟ କରାଯାଇଥିବା ଦର୍ଶାଇଥିଲେ | ହେଲେ ଏହାପରେ ତେଜ ପ୍ରତାପ ଓ ଅନୁଷ୍କା ଯାଦବଙ୍କର ମାଳ ମାଳ ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲିଥିଲା | ଏହାପରେ ଲାଲୁ ପୁଅ ତେଜ ପ୍ରତାପଙ୍କ ଏଭଳି କାମରେ ଅସନ୍ତୁଷ୍ଟ ହୋଇ ବଡ଼ ପଦକ୍ଷେପ ନେଇଛନ୍ତି । ତେଜ ପ୍ରତାପଙ୍କର ପୂର୍ବରୁ ବିବାହ ହୋଇଥିବା ବେଳେ ଏବେ ଆଉ ଜଣେ ଯୁବତୀଙ୍କ ସହ ସମ୍ପର୍କ ସାମ୍ନାକୁ ଆସିବା ପୁରା ବିହାରରେ ଚର୍ଚ୍ଚାର ବିଷୟ ପାଲଟିଛି | ଆଗକୁ ବିହାର ବିଧାନସଭା ନିର୍ବାଚନ ଆସୁଥିବାରୁ ଏହା RJD ରାଜନୀତିକୁ ପ୍ରଭାବିତ କରିବା ଆଶଙ୍କା ମଧ୍ୟ ରହିଛି |





