ବନ୍ଧା ହେଲେ ଗ୍ରାମ୍ୟଉନ୍ନୟନ ବିଭାଗର କୁବେର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗ୍ରାମ୍ୟଉନ୍ନୟନ ବିଭାଗର କୁବେର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ ବେଳେ ନଗଦ ୨.୫୬ କୋଟି ଟଙ୍କା ମିଳିଥିଲା । ବୈକୁଣ୍ଠଙ୍କ ୨ଟି ଅଟ୍ଟାଳିକା, ୨ ଫ୍ଲାଟ୍ ଓ ୭ ପ୍ଲଟ୍ ଠାବ ହେବା ସହ ଦେଢ଼ କୋଟିର ବ୍ୟାଙ୍କ ଡିପୋଜିଟ୍, ୧ କେଜିରୁ ଊର୍ଦ୍ଧ୍ୱ ସୁନାଗହଣା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ । ସେହିପରି ମ୍ୟୁଚୁଆଲ୍ ଫଣ୍ଡରେ ୨.୭ କୋଟି ଇନଭେଷ୍ଟ, ୧୫ଟି ଦାମୀ ହାତ ଘଣ୍ଟା ଠାବ ହୋଇଥିଲା । ଏପରିକି କାଲି ଭିଜିଲାନ୍ସ ରେଡ୍‌ ବେଳେ ଝରକା ପଟେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍ ବାହାରକୁ ଫିଙ୍ଗି ଦେଇଥିଲେ ଯନ୍ତ୍ରୀ । ଯନ୍ତ୍ରୀଙ୍କ ଘରେ ଟଙ୍କାର ପାହାଡ ଦେଖି ଟେରା ହୋଇଯାଇଥିଲେ ଭିଜିଲାନ୍ସ କର୍ମଚାରୀ ।

ଆଜି ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଚାକିରିରୁ ଅବସର ନେଇଥାନ୍ତେ । ହେଲେ ତା’ ପୂର୍ବରୁ କାଲି ଯନ୍ତ୍ରୀ ବାବୁଙ୍କ ଘରେ ଛାପା ମାରିଥିଲା ଭିଜିଲାନ୍ସ । ତାଙ୍କ ଦୁର୍ନୀତିଖୋର ଚେହେରାର ମୁଖା ଖୋଲିଥିଲା । ଭୁବନେଶ୍ୱରରୁ ଆରମ୍ଭ କରି ଅନୁଗୁଳ ଯାଏଁ, ସବୁଠି କୋଟି କୋଟି ଟଙ୍କାର ସମ୍ପତ୍ତି । ଘର ଭିତରେ ଟଙ୍କାର ପାହାଡ଼, ଝରକା ବାଟେ ନୋଟ୍ ବର୍ଷା, ଆଉ ପଡ଼ୋଶୀଙ୍କ ଘର ଆଜବେଷ୍ଟସ ଉପରେ ଗଦା ଗଦା ନୋଟ୍ ବିଡ଼ା । ଖାଲି ୫ ଶହ ଟଙ୍କିଆ ନୋଟର ପରିମାଣ ଏତେ ଯେ ଗଣି ଗଣି ହାଲିଆ ହୋଇଗଲେ ଭିଜିଲାନ୍ସ କର୍ମଚାରୀ । ଓଡ଼ିଶା ଭିଜିଲାନ୍ସ ରେଡ୍ ଇତିହାସରେ ଆଉ ଏକ ବଡ଼ ଧରଣର ରେଡ୍ କରି ଭିଜିଲାନ୍ସ ପାଇଛି ଆୟ ବହିର୍ଭୁତ ସମ୍ପତ୍ତିର ଅସରନ୍ତି ଠିକଣା ।

ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଘରୁ ବିପୁଳ ଟଙ୍କା ଓ ସମ୍ପତ୍ତି ତାଲିକା ମିଳିବା ପରେ ସେ କେଉଁ କେଉଁ ପ୍ରକଳ୍ପରେ କାର୍ଯ୍ୟ କରିଛନ୍ତି, ତାକୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ। ଏପଟେ ବୈକୁଣ୍ଠନାଥ ଗତ ଫେବ୍ରୁଆରୀରେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସୁପାରିସରେ ଭୁବନେଶ୍ବର ମୁଖ୍ୟାଳୟକୁ ବଦଳି ହୋଇ ଆସିଥିବା କୁହାଯାଉଛି ।

Related Posts