ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ହାଇକୋର୍ଟ ଭାରତୀୟ ସେନାର ଜଣେ କମାଣ୍ଡିଂ ଅଫିସରଙ୍କ ନିଲମ୍ବନ ଆଦେଶକୁ ସମର୍ଥନ କରି ଏହାକୁ ଯଥାର୍ଥ ବୋଲି କହିଛନ୍ତି। ସମ୍ପୃକ୍ତ ଅଧିକାରୀ ଜଣକ ଖ୍ରୀଷ୍ଟ ଧର୍ମର ହୋଇଥିବା ଦର୍ଶାଇ ରେଜିମେଣ୍ଟାଲ୍ ସାପ୍ତାହିକ ଧାର୍ମିକ ପେରେଡ୍‌ରେ ଅଂଶଗ୍ରହଣ କରିବାକୁ ମନା କରିଦେଇଥିଲେ । ଏ ସମ୍ପର୍କରେ ତାଙ୍କର ଉଚ୍ଚପଦସ୍ତ ଅଧିକାରୀମାନେ ବିଭିନ୍ନ ସ୍ତରରେ ପରାମର୍ଶ ଓ ବାରମ୍ଵାର ତାଙ୍କୁ ସୁଯୋଗ ଦେଇଥିଲେ ମଧ୍ୟ ସେ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ । ଏହାପରେ ତାଙ୍କୁ ନିଲମ୍ବନ କରାଯାଇଥିଲା | ଏହି ଆଦେଶ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି ନିଲମ୍ବନକୁ ଯଥାର୍ଥ ଦର୍ଶାଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

ନ୍ୟାୟମୂର୍ତ୍ତି ନବୀନ ଚାୱଲା ଓ ନ୍ୟାୟମୂର୍ତ୍ତି ଶାଳିନ୍ଦର କୌରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ନିଲମ୍ବନ ଆଦେଶରୁ ଏହା ସ୍ପଷ୍ଟ ହେଉଛି ଯେ, ସମ୍ପୃକ୍ତ ଅଫିସର ନିଜର ବ୍ୟକ୍ତିଗତ ଧାର୍ମିକ ବିଶ୍ୱାସକୁ ଦେଖାଇ ଧାର୍ମିକ ପେରେଡ୍‌ରେ ଅଂଶ ନ ନେବା ନିଷ୍ପତ୍ତିରେ ଅଟଳ ଥିଲେ, ଯାହାର ପ୍ରମାଣ ତାଙ୍କ କମାଣ୍ଡିଂ ଅଫିସର ମଧ୍ୟ ଦେଇଛନ୍ତି।

ଅଦାଲତ କହିଛନ୍ତି ଯେ, ‘ସମ୍ପୃକ୍ତ ଅଫିସରଙ୍କ ଆଚରଣ, ସେନା ଅନୁଶାସନ ଏବଂ ଏକତା ଉପରେ ପଡ଼ୁଥିବା ପ୍ରଭାବକୁ ଆଧାର କରି ତାଙ୍କୁ ନିଲମ୍ବିତ କରାଯାଇଛି। ଭାରତୀୟ ସଶସ୍ତ୍ର ବାହିନୀର ଚରିତ୍ର ହେଉଛି- ‘ଦେଶ ପ୍ରଥମେ, ନିଜ ପରେ’ ଏବଂ ନିଶ୍ଚିତ ଭାବେ ଧର୍ମ ପୂର୍ବରୁ ସବୁବେଳେ ଦେଶ ହିଁ ଆସିବା ଉଚିତ। ଅଦାଲତ ସେମାନଙ୍କ ସମର୍ପଣକୁ ଶତ୍‌ଶତ୍‌ ନମନ କରେ ଯେଉଁମାନେ ସବୁ ବିପରୀତ ପରିସ୍ଥିତିରେ ଦିନ ରାତି ଦେଶର ସୀମା ରକ୍ଷା କରୁଛନ୍ତି।’ ଏହା କହିବା ସହିତ ସମ୍ପୃକ୍ତ ଅଫିସରଙ୍କ ନିଲମ୍ବନ ଆଦେଶକୁ ଯଥାର୍ଥ ବୋଲି କହିଛନ୍ତି କୋର୍ଟ।