ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଏବେ ତାଙ୍କ ଉତ୍ତରାଧିକାରୀ ଚୟନ ପାଇଁ ନିର୍ବାଚନ ହେବ। ସମ୍ବିଧାନର ଧାରା ୬୮ର ଉପଧାରା ୨ ଅନୁଯାୟୀ ମୃତ୍ୟୁ, ଇସ୍ତଫା, ଅପସାରଣ କିମ୍ବା ଅନ୍ୟ କୌଣସି କାରଣରୁ ଉପରାଷ୍ଟ୍ରପତି ପଦ ଖାଲି ହେବା ପରେ ସେହି ପଦବୀ ପୂରଣ ପାଇଁ ଯଥାଶୀଘ୍ର ନିର୍ବାଚନ ହେବା ଜରୁରି। ଏହା ଅନୁସାରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରେସ ରିଲିଜ ଜାରି କରାଯାଇ କୁହାଯାଇଛି ଯେ, ବର୍ତ୍ତମାନ ଲୋକସଭା ଓ ରାଜ୍ୟସଭାର ନିର୍ବାଚିତ ଓ ମନୋନୀତ ସଭ୍ୟ ମାନଙ୍କୁ ନେଇ ଲେକ୍ଟୋରାଲ କଲେଜ୍ ପ୍ରସ୍ତୁତି ଓ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନ ବ୍ୟବସ୍ଥା ଉପରେ ଅନୁଧ୍ୟାନ କରାଯାଇଛି । ଏହି ପ୍ରକ୍ରିୟା ଶେଷ ହେବା ମାତ୍ରେ ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ସୋମବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇ କହିଥିଲେ ଯେ, ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି। ଏହା ପରେ ମଙ୍ଗଳବାର ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିଲେ।
ତେବେ କେହି ଭାବି ନଥିଲେ ଧନଖଡ଼ ଏଭଳି ଏକ ନିଷ୍ପତ୍ତି ନେବେ। କାରଣ ୧୧ଦିନ ପୂର୍ବରୁ ସେ ସ୍ପଷ୍ଟ କରିଥିଲେ ଯେ, ୨୦୨୭ରେ ହିଁ ସେ ଅବସର ନେବେ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା ସ୍ପଷ୍ଟ କରିଥିଲେ। ହେଲେ ୧୧ଦିନ ପରେ ଏଭଳି କ’ଣ ଘଟିଲା, ଯାହା ତାଙ୍କୁ ଏତେ ବଡ଼ ନିଷ୍ପତ୍ତି ନେବାକୁ ବାଧ୍ୟ କଲା, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ସ୍ବାସ୍ଥ୍ୟର ଯତ୍ନକୁ ଅଗ୍ରାଧିକାର ଦେବାର କାରଣ ସେ ଦେଇଥିଲେ ବି ଏହାକୁ ବିଶ୍ବାସ କରିବା ଅନେକଙ୍କ ପାଇଁ କଷ୍ଟ। ଏବେ କାହାକୁ ଦେଶର ଉପରାଷ୍ଟ୍ରପତି କରାଯିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।





