ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ସପ୍ଲିମେଣ୍ଟାରୀରେ ପାସ୍ ହାର ୫୬.୨୩ ପ୍ରତିଶତ ରହିଥିବା ବେଳେ ଓପନ୍ ସ୍କୁଲ୍ରେ ପାସ୍ ହାର ୫୫.୨୬ ପ୍ରତିଶତ ରହିଛି ।
ସପ୍ଲିମେଣ୍ଟାରୀ ପରୀକ୍ଷାରେ ମୋଟ ୩,୪୫୭ଜଣ ପରୀକ୍ଷା ଦେଇଥିବା ବେଳେ ୧,୯୪୪ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଓପନ୍ ସ୍କୁଲରେ ୧୦,୮୦୯ ଜଣ ପରୀକ୍ଷା ଦେଇଥିବା ବେଳେ ୫,୯୭୩ଜଣ ପାସ୍ କରିଛନ୍ତି । ମଧ୍ୟାହ୍ନ ସାଢ଼େ ୧୨ଟାରେ ଉଭୟ ଫଳାଫଳ ପ୍ରକାଶ କରାଯାଇଛି ।
ଅପରାହ୍ଣ ୨ଟା ପରେ ଅନ୍ଲାଇନରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ସେହିପରି ମୋବାଇଲରେ ୦୧୦୨୧୦ ଲେଖି ନିଜ ରୋଲ୍ ନମ୍ବର ଲେଖି ୫୬୭୬୭୩୦କୁ ପଠାଇ ପରିକ୍ଷାର୍ଥୀ ମାନେ ନିଜ ରେଜଲ୍ଟ ଜାଣି ପାରିବେ । ଏହା ଛଡା www.bseodisha.ac.inରେ ଛାତ୍ରଛାତ୍ରୀ ମାନେ ରେଜଲ୍ଟ ଦେଖିପାରିବେ। ସପ୍ଲିମେଣ୍ଟାରୀ ଓ ଓପନ୍ ସ୍କୁଲ ପରୀକ୍ଷାର୍ଥୀ ମାନେ ଚଳିତ ବର୍ଷ ସାମ୍ସ ୱେବସାଇଟରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ କରିପାରିବେ ବୋଲି ବୋର୍ଡ ସଭାପତି କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ବର୍ଷ ମୋଟ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୮୪ ହଜାର ୮୬୩ ଛାତ୍ରଛାତ୍ରୀ ପାସ୍ କରିଥିଲେ । ୧୭ ହଜାର ୩୮୪ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ। ସେମାନଙ୍କ ମଧ୍ୟରୁ ହାଇସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ୯୮ ଟି ପରୀକ୍ଷା କେନ୍ଦ୍ରରେ ୩୨୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ରାଜ୍ୟ ମୁକ୍ତ ବିଦ୍ୟାଳୟ ବା ଓପନ ସ୍କୁଲ ପରୀକ୍ଷା ୧୦୩ ଟି କେନ୍ଦ୍ରରେ ୧୦ ହଜାର ୮୦୯ ଜଣ ପରୀକ୍ଷାର୍ଥୀ ଦେଇଛନ୍ତି। ଜୁଲାଇ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।





