ମହିଳା ଅନ୍ତେବାସୀଙ୍କୁ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲେ ବାବା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କାମାକ୍ଷାନଗର ଥାନା ମଠକରଗୋଳା ଆଶ୍ରମ ପରିସରରେ ମହିଳା ଅନ୍ତେବାସୀଙ୍କୁ ବାବାଙ୍କ ଦୁଷ୍କର୍ମ ଅଭିଯୋଗରେ ବାବା ମଦନ ମୋହନ ପରିଡାକୁ ଗିରଫ କଲା ପୋଲିସ । ଡାକ୍ତରୀ ମାଇନା ପରେ ବିଚାର ବିଭାଗୀୟ ହାଜତକୁ ପଠାଇଛି ପୋଲିସ । ଗତକାଲି ପୀଡିତା ମହିଳାଙ୍କ ଅଭିଯୋଗ ପରେ ବାବାକୁ ପୋଲିସ ଅଟକ ରଖିଥିଲା ।

ଘଟଣା ସ୍ଥଳକୁ ପୀଡିତା ମହିଳାଙ୍କୁ ନେଇ ସାଇଣ୍ଟିଫିକ ଟିମ ଓ ପୋଲିସ ଛାନଭିନ କରିଛି l ଦୁଷ୍କର୍ମ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରୁଛି ପୋଲିସ l ମହିଳାଙ୍କ ଅଭିଯୋଗ ପରେ ଗତକାଲି ସନ୍ଧ୍ୟା ସମୟରୁ କାମାକ୍ଷାନଗର ଥାନାରେ ବାବା ମଦନ ମୋହନ ପରିଡାକୁ ଅଟକ ରଖାଯାଇଥିଲା ।

ଆଶ୍ରମ ପରିସରକୁ ପୀଡିତା ମହିଳାଙ୍କୁ ନେଇ ସେଠାରେ ଥିବା ରୁମଗୁଡିକୁ ଖୋଲିବା ସହ ତା ଭିତରେ କଣ ସବୁ ଚାଲିଥିଲା ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିଛି । ସାଇଣ୍ଟିଫିକର ଏକ ଟିମ ଓ ମହିଳା ପୋଲିସଙ୍କ ଉପସ୍ଥିତିରେ ପୀଡିତା ସହ କିପରି ସବୁ ଘଟଣା ଘଟିଥିଲା ସେ ବିଷୟରେ ସମସ୍ତ ତଥ୍ୟ ନେଇଛି ପୋଲିସ ।

ଆଶ୍ରମରେ ଆଉ କେଉଁମାନେ ସବୁ ରହୁଥିଲେ,କଣ ସବୁ ଦୈନନ୍ଦିନର କାର୍ଯ୍ୟ ହେଉଥିଲା ସେ ବିଷୟରେ ମଧ୍ୟ ତଥ୍ୟ ନେଇଛି । ଦୀର୍ଘ ୧୫ ବର୍ଷ ହେବ ବାବା ଏଠାରେ ରହି ଆଶ୍ରମ ଚଳାଇ ଆସୁଥିଲେ । ମହିଳା ଜଣଙ୍କ ଗତ କିଛି ଦିନ ହେବ ଆଶ୍ରମରେ ରହି ପ୍ରଥମେ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସହ ମନ୍ଦିରର ଦାୟିତ୍ବ ନେଉଥିଲେ । କିନ୍ତୁ ପରେ ବାବା ତାଙ୍କୁ ସେଠାରେ ଥିବା ଭୋଜନାଳୟର ଦାୟିତ୍ବ ଦେଇଥିଲେ ।

ପରେ ଆଶ୍ରମ ପରିସରରେ ତାଙ୍କୁ ଜୋର ଦବରଦସ୍ତି ଦୂଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ମହିଳା । ତେବେ ଏ ସଂପର୍କରେ ପୋଲିସ କହିଛି ଯେ ପୀଡିତା ମହିଳା ସେଠାରେ କିଛି ଦିନ ହେଲା ରହିଥିବା ବେଳେ ଗତ ରାତିରେ ତାଙ୍କ ସହିତ ଏଭଳି ଅଘଟଣ ଘଟିଥିଲା । ଅଭିଯୋଗ ଆଧାରରେ ବାବା ମଦନ ମୋହନକୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଛି ପୋଲିସ।

ତେବେ ଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାବା ମଦନ ମୋହନ ପରିଡା । ମିଥ୍ୟାରେ ଫସାଇବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି କହିଛନ୍ତି ବାବା । ଆମ ଅନୁଷ୍ଠାନ ଡେଭଲପମେଣ୍ଟକୁ ସହି ପାରି ନଥିବାରୁ ତାଙ୍କ ନାମରେ ଏଭଳି କଥା କହିଛନ୍ତି । ପୂର୍ବରୁ ଯେଉଁମାନେ ଆମ ସହିତ ଝଗଡା କରିଥିଲେ ସେମାନେ ଏହାକୁ ନେଇ ଚକ୍ରାନ୍ତ କରିଥିବା କଥା କହିଛନ୍ତି ବାବା।

Related Posts