ପୋସ୍କୋ ପରେ ଏବେ ଜିନ୍ଦଲ ପାଇଁ ଦଲାଲି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ପୋସ୍କୋ ପରେ JSW ପାଇଁ ସରକାରଙ୍କ ଦଲାଲି । ପୋସ୍କୋ ବିରୋଧରେ ଦୀର୍ଘ 12 ବର୍ଷ ଲଢ଼େଇର କିଛି ମୂଲ୍ୟ ରହିଲା ନାହିଁ । କାରଣ ଲଢ଼େଇ ସରିବାର 2 ବର୍ଷ ପରେ ପୁଣି ଥରେ ସେହି ଜମିକୁ କର୍ପୋରେଟ ଷ୍ଟିଲ୍ ନିର୍ମାଣକାରୀ କମ୍ପାନି ଜିନ୍ଦଲ ଗ୍ରୁପକୁ ଟେକିଦେଛନ୍ତି ରାଜ୍ୟ ସରକାର । ଜଗତସିଂପୁର ଜିଲ୍ଲାର ଗୋବିନ୍ଦପୁର ଢିଙ୍କିଆ ଏବଂ ନୂଆ ଗାଁର ପାନ ଚାଷୀ ଏବଂ ମତ୍ସଜୀବୀଙ୍କ ଅଧିକୃତ ଜିମିକୁ ଜିନ୍ଦଲ ଷ୍ଟିଲ ୱାକର୍ସକୁ ଦେଇ ସରକାର ପୁଣି ଥରେ ଚାଷୀଙ୍କ ଜୀବନ ଜୀବିକାକୁ ଛଡ଼େଇ ନେଇଛନ୍ତି ।

ସରକାରଙ୍କ ଭୁଲ କେଉଁଠି ?
କମ୍ପାନି ପାଇଁ ଅଧିଗ୍ରହଣ ହୋଇଥିବା ଜମିର ପରିମାଣ ପ୍ରାୟ 4 ହଜାର ଏକର ହୋଇଥିବା ବେଳେ ସେଥିରେ 3 ହଜାରରୁ ଅଧିକ ଏକର ଜମି କେବଳ ଜଙ୍ଗଲ ଜମି ରହିଛି । ଏହି ଜମି ପାନ ବ୍ୟବସାୟୀ ଏବଂ ମତ୍ସଜୀବୀଙ୍କ ପାମ୍ପରିକ ଜୀବନ ଜୀବିକାର ମୁଖ୍ୟ ଉତ୍ସ ହୋଇଥିବାରୁ ଜଙ୍ଗଲ ଜମିକୁ ଫେରାଇବାକୁ ସେମାନେ ଦାବି କରିଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଜଙ୍ଗଲ ଜମିରେ ବନ ଅଧିକାର ମାନ୍ୟତାକୁ ପାଳନ କରାଯାଇ ନାହିଁ । ତାହାଠାରୁ ସାଙ୍ଘାତିକ କଥା ହେଲା ସବୁ ଜାଣି ମଧ୍ୟ ଏ ପ୍ରସଙ୍ଗରେ ସରକାରରୀ ବାବୁମାନେ ଏଯାଏ ଚୁପ୍‌ ବସିଛନ୍ତି । ଇଡକୋ ଦ୍ବାରା ଅଧିକୃତ 2700 ଏକର ଜମିକୁ 2013ର LAAR ଆଇନ ଅନୁସାରେ ସ୍ଥାନୀୟ ଲୋକଙ୍କୁ ବଣ୍ଟା ଯିବା କଥା । କିନ୍ତୁ ଦୁର୍ଭାଗ୍ୟର କଥା ସରକାର ଗତ 5 ବର୍ଷ ଧରି କବ୍‌ଜା କରିଥିବା ଜମିକୁ କୌଣସି କାମରେ ବ୍ୟବହାର କରିନାହାନ୍ତି । ଯଦିଓ 2015ରେ ରାଜ୍ୟ ସରକାର ଏକ ନୀତି ଆଣି ଏଥିରେ ସଂଶୋଧନ କରିଥିଲେ । ଏଥିରେ କୁହାଯାଇଲା କି ଏଭଳି ଜମିକୁ ରାଜ୍ୟ ସରକାରଙ୍କ ଦ୍ବାରା ଲ୍ୟାଣ୍ଡ ବ୍ୟାଙ୍କରେ ରଖାଯିବ, କିନ୍ତୁ ତାହା ହେଲା ନାହିଁ ।

ପୋସ୍କୋ ଅଞ୍ଚଳରେ କୁହୁଳୁଛି ଉତ୍ତେଜନା
ଅନ୍ୟପଟେ ପୋସ୍କୋଠାରୁ ଜିନ୍ଦଲ ଷ୍ଟିଲ ଗ୍ରୁପର ଏହି ପ୍ରକଳ୍ପ ବଡ଼ ହୋଇଥିବାରୁ ଜମି ସ୍ଥାନାନ୍ତରଣ ପ୍ରସ୍ତାବକୁ ଖାରଜ କରିଛି ଗ୍ରାମ ସଭା । ଦୀର୍ଘ ବର୍ଷ ଧରି ପ୍ରତିବାଦକାରୀ ତାଙ୍କର ଦାବି ନେଇ ଏକାଠି ଅଛନ୍ତି । ସେମାନଙ୍କ ଅଧିକାର ନେଇ କୋର୍ଟ ଏବଂ ବିଭିନ୍ନ ସମିତି ବି ମାନ୍ୟତା ଦେଇଛି । ସେମାନେ ସରକାରଙ୍କ ଜିନ୍ଦଲ ପ୍ରୀତି ବିରୋଧରେ ପୁଣି ବିଦ୍ରୋହ କରିବାକୁ ସଜବାଜ ହେଉଛନ୍ତି । ତେଣୁ କମ୍ପାନିକୁ ମନଇଛା ଜମି ହସ୍ତାନ୍ତରଣ କରି ପ୍ରକଳ୍ପକୁ ଆଗକୁ ନେବା ସରକାରଙ୍କ ପକ୍ଷେ ଏତେ ସହଜ ହେବ ନାହିଁ । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ MoEFCC ଦ୍ବାରା ଚଳିତ ବର୍ଷ ଅଗଷ୍ଟ ମାସରେ JSWକୁ ଜଙ୍ଗଲ ଓ ପରିବେଶ କ୍ଲିୟରାନ୍ସ ଦିଆଯାଇଥିଲା । କିନ୍ତୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ବିନା ଅନୁମତିରେ ଇଡକୋ, ଜିନ୍ଦଲ ପାଇଁ ପାଚେରି ନିର୍ମାଣ କରୁଥିବା ଜଣାପଡ଼ିଛି ।
ପରିବେଶ ମଞ୍ଜୁରି ଶୁଣାଣିକୁ କାହିଁକି ଲଚାଉଛନ୍ତି ସରକାର ?

ଏହା ଛଡ଼ା ଦ୍ରୁତ ଜମି ଅଧିଗ୍ରହଣ ପ୍ରକିୟା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆସନ୍ତା 22 ତାରିଖରେ ପରିବେଶ ମଞ୍ଜୁରି ପାଇଁ ସାର୍ବଜନୀନ ଶୁଣାଣି କରିବାକୁ ଘୋଷଣା କରିଛି । ନୋଟିସରେ କୁହାଯାଇଛି ଯେ ଏରସମା ତହସିଲ ଅଞ୍ଚଳରେ ଥିବା ଜଟାଧାରୀ ନଦୀ ମୁହାଣରେ JSW ଉତ୍କଳ ଲିମିଟେଡ ମଲ୍ଟି-କାର୍ଗୋ ଅଲୱେଦର କ୍ୟାପ୍ଟିଭ ଜେଟିସ 52 ଏମ୍‌ଟିପିଏ କାପାସିଟି କାର୍ଗୋ କରିବ । ମନ୍ତ୍ରାଳୟର ୱେବସାଇଟ୍‌ରେ ଚତୁରତାର ସହ 13.2 MTPS ଇସ୍ପାତ, 900 ମେଗାୱାଟ କ୍ୟାପ୍‌ଟିଭ ପାୱାର ପ୍ଲାଣ୍ଟ ଏବଂ 10 MTPA ସିମେଣ୍ଟ ପ୍ଲାଣ୍ଟ ପାଇଁ ପରିବେଶ ମଞ୍ଜୁରି ପାଇଁ ଗୋଟିଏ ସ୍ଥାନରେ ସକାଳ 9ଟା 30ରେ ଶୁଣାଣି ହେବ ବୋଲି କୁହାଯାଇଛି । ଏହି ସୂଚନା ଗ୍ରାମପଞ୍ଚାୟତକୁ ଦିଆଯାଇନି କି କୌଣସି ଗଣମାଧ୍ୟମକୁ ମଧ୍ୟ ଦିଆଯାଇନି । ଶୁଣାଣି ସମ୍ପର୍କରେ ସ୍ଥାନୀୟ ଲୋକ ଯେଭଳି ଖବର ନପାଇବେ ଏବଂ ଶୁଣାଣି ବେଳେ ଲୋକେ ଏହାକୁ କିଭଳି ବିରୋଧ ନକରିବେ ସେଥିପାଇଁ ସୂନଚାଠାରୁ ସେମାନଙ୍କୁ ଦୂରରେ ରଖାଯାଇଛି । 
2011ରେ ଗୋବିନ୍ଦପୁର ଢିଙ୍କିଆ ଏବଂ ନୂଆ ଗାଁ ପଞ୍ଚାୟତବାସୀ ଜଙ୍ଗଲ ଆଇନ ଅନୁଯାୟୀ ପୋସ୍କୋକୁ ଜମି ଦେବକୁ ପ୍ରବଳ ବିରୋଧ କରିଥିଲେ । ଏହା ସତ୍ତ୍ବେ ସରକାର ଜୋରଜବରଦସ୍ତ ପୋସ୍କୋକୁ ଜମି ଦେଲେ । ବହୁ ଲୋକ ପୋଲିସ ମାଡ଼ରେ ଆହତ ହେଲେ । ସେମାନଙ୍କ ଜୀବନ ଜୀବିକା ହରାଇଲେ । ଶେଷରେ ପୋସ୍କୋକୁ ପ୍ଲାଣ୍ଟ କରାଇବାରେ ବିଫଳ ହେଲେ ସରକାର । କେବଳ ଲୋକଙ୍କ ଜୀବନ ଜୀବିକା ସହ ଖେଳି ରାଜସ୍ବକୁ ପୋସ୍କୋ ପାଇଁ ହରାଇବା ଛଡ଼ା ସରକାର ଆଉ କିଛି କରିନାହାନ୍ତି । ଏଥିରେ ନା ରାଜ୍ୟବାସୀଙ୍କର ଲାଭ ହେଲା ନା ପୋସ୍କୋ ଜମି ହରା ଲୋକଙ୍କର । ଲାଭ ହେଲା ତ କେବଳ ସରକାରୀ ବାବୁମାନଙ୍କର । 
କାଳ ହେବ ସିମେଣ୍ଟ କାରଖାନା


ଏବେ ପୁଣି ସରକାରଙ୍କ ଜିନ୍ଦଲ ପ୍ରୀତିକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ । କାରଣ ଉପକୂଳ ଅଞ୍ଚଳରେ ସବୁବେଳେ ଲୋକେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା ବେଳେ ଷ୍ଟିଲ ପ୍ଲାଣ୍ଟ ଏବଂ ସିମେଣ୍ଟ ପ୍ଲାଣ୍ଟର ନୂଆ ପ୍ରକଳ୍ପ ପରିବେଶକୁ ଆହୁରି ନଷ୍ଟ କରିଦେବ ବୋଲି ଅଭିଯୋଗ ହୋଇଛି । ଏବେ ସରକାରଙ୍କ ପକ୍ଷରୁ ତରଭରିଆ ଭାବେ ହେବାକୁ ଥିବା ଶୁଣାଣିର ମୁକାବିଲା କରିବାକୁ ସ୍ଥାନୀୟ ଲୋକେ ଏକଜୁଟ ହେଉଥିବା ଜଣାପଡ଼ିଛି । 2011 ମସିହା ପରେ ବ୍ୟକ୍ତିଗତ ଏବଂ ସାମୁଦାୟିକ ଭାବେ ବନ ଅଧିକାରୀଙ୍କ ଦାବିକୁ ସଂଶୋଧିତ କରି ଜମିକୁ ମୂଳ ମାଲିକାନାରେ ଥିବା ଲୋକଙ୍କୁ ଫେରସ୍ତ କରାଯାଉ । ଏହା ସହ ପ୍ଲାଣ୍ଟ ବିରୋଧରେ ପ୍ରଦର୍ଶନ କରିଥିବା ସ୍ଥାନୀୟ ଲୋକଙ୍କ ବିରୋଧରେ ଥିବା ଆପରାଧିକ ମାମଲାକୁ ପ୍ରତ୍ୟାହାର କରିବାକୁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଦାବି କରାଯାଇଛି ।

Related Posts