‘ସ୍ବାଧୀନ ଲଢିବି, ଅପରାଜିତାଙ୍କୁ ଖୋର୍ଦ୍ଧାରୁ ବିଦାୟ ଦେବି’; ଟିକେଟ କଟିବା ପରେ ବର୍ଷିଲେ କାଳୁ

ଭୁବନେଶ୍ୱର,୩୦/୪(ସତ୍ୟପାଠ ବ୍ୟୁରୋ):    ବିଜେପି ରୁ ଇସ୍ତଫା ଦେଲେ କାଳୁଚରଣ ଖଣ୍ଡାୟତରାୟ । ସେ ଆଜି ତାଙ୍କ ଶହ ଶହ ସମର୍ଥକଙ୍କ ସହ ବିଜେପି ଛାଡିଛନ୍ତି । ଖୋର୍ଦ୍ଧା ବିଧାନସଭା ବିଜେପି ଆଶାୟୀ ପ୍ରାର୍ଥୀ ଥିଲେ କାଳୁଚରଣ । ହେଲେ ଦଳ ତାଙ୍କୁ ଟିକେଟ୍ ନଦେଇ ତାଙ୍କ ସ୍ଥାନରେ ବିଜେଡିରୁ ସଦ୍ୟ ଆସି ବିଜେପିରେ ମିଶିଥିବା ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ୍ ଦେଇଥିଲା ।ଯାହାକୁ ନେଇ ସେ ଦଳ ଛାଡିଥିବା କୁହାଯାଉଛି ।

ଇସ୍ତଫା ଦେବାପରେ କାଳୁଚରଣ ଏକ ସାମ୍ବିଦିକ ସମ୍ମିଳନୀ କରି ସ୍ବାଧୀନ ଭାବେ ଲଢି ବିଧାୟକ ହେବି ଘୋଷଣା କହିଛନ୍ତି । ଏହି ସମୟରେ ସେ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଛି । ସାମ୍ବାଦିକ ସମ୍ମିଳନୀରେ କାଳୁ ଅପରାଜିତାଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ମୋ ସହ ଷଡଯନ୍ତ୍ର କରାଯାଇଛି । ୧୦ ବର୍ଷ ଦଳ ପାଇଁ ସମୟ ଦେଇଥିବା ବେଳେ ୧୦ଦିନ ତଳେ ଯୋଗଦେଇଥିବା ଜଣେ ଦାଗୀ, ଅପରାଧିଙ୍କୁ ଟିକେଟ ଦେଇଛନ୍ତି ଅପରାଜିତା ।

ସେ ଆହୁରି କହିଛନ୍ତି, ସମର୍ଥକଙ୍କ ନିଷ୍ପତ୍ତି କ୍ରମେ ମୁଁ ସ୍ବାଧୀନ ଭାବେ ଲଢି ଅପରାଜିତାଙ୍କୁ ହରାଇବି । ମୁଁ ପାଇକ ପୁଅ ଖୋର୍ଦ୍ଧା ମାଟିର ବିକାଶ ପାଇଁ ଲଢେଇ କରିବି । ଅପରାଜିତାଙ୍କୁ ବିହାର ପଠାଇଦେବି ବୋଲି କାଳୁଚରଣ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ଥର ଖୋର୍ଦ୍ଧା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢି ବହୁ କମ୍ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ କାଳୁଚରଣ ଖଣ୍ଡାୟତରାୟ । ଆଜି ବହୁ ବାଦ ବିବାଦ ପରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି ।

Related Posts