ହିଞ୍ଜିଳିରୁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର,୩୦/୪(ସତ୍ୟପାଠ ବ୍ୟୁରୋ):    ମୂଖ୍ୟମନ୍ତ୍ରୀ ନବୀନ ପ୍ଟନାୟକଙ୍କର ପାରମ୍ପରିକ ସିଟ୍ ହିଞ୍ଜିଳି ବିଧାନସଭା ଆସନରୁ ଆଜି ଷଷ୍ଠ ଥର ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମାଙ୍କନ ଦାଖଲ ପୂର୍ବରୁ ଗଞ୍ଜାମରେ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠର ପୂଜାର୍ଚ୍ଚନା କରିଛନ୍ତି ନବୀନ ।

ଛତ୍ରପୁର ନିକଟସ୍ଥ ନରସିଂହପୁର ଛକସ୍ଥିତ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଓହ୍ଲାଇବା ପରେ ସେଠାରୁ କାର୍ରେ ମା’ ତାରାତାରିଣୀଙ୍କ ପୀଠକୁ ଯାଇଥିଲେ। ସେଠାରେ ସେ ମା’ଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଲୋଡ଼ିଥିଲେ।

ଏହାପରେ ଜିଲ୍ଲା ସଦର ମହକୁମା ଛତ୍ରପୁର ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଭି.କେ. ପାଣ୍ଡିଆନ, ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଅଛନ୍ତି। ନାମାଙ୍କନ ଦାଖଲ ବେଳେ ସେଠାରୁ ସେ ସିଧାସଳଖ ଭୁବନେଶ୍ୱର ଫେରିଛନ୍ତି।

ଷଷ୍ଠଥର ପାଇଁ ନବୀନ ହିଞ୍ଜିଳିରୁ ନିର୍ବାଚନ ଲଢ଼ୁଛନ୍ତି। ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବ । ଏହା ପୂର୍ବରୁ ୨୦୦୦,୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିପୁଳ ଭୋଟରେ ହିଞ୍ଜିଳିରୁ ବିଜୟୀ ହୋଇ ବିଧାନସଭାକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Related Posts