ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସାରା ରାଜ୍ୟରେ ଏବେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା । କଳାବଜାରୀ, ଅପମିଶ୍ରଣ ଏବଂ ବଜାରରେ ୟୁରିଆ ମିଳୁ ନ ଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ପ୍ରତିଦିନ ଏହାର ଚିତ୍ର ସାମ୍ନାକୁ ଆସୁଥିବା ବେଳେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହାର ପ୍ରତିକାର ପାଇଁ ସେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଚିଠି ଲେଖି ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ସହ ତୁରନ୍ତ ଆବଶ୍ୟକୀୟ ୟୁରିଆ ଯୋଗାଇବାକୁ ଦାବୀ କରିଛନ୍ତି।

ଚିଠିରେ ନବୀନ ଲେଖିଛନ୍ତି ଯେ, କୃଷି ଓଡ଼ିଶା ଅର୍ଥନୀତିର ମୁଖ୍ୟ ଆଧାର, ଆମର ୭୦ ଭାଗରୁ ଅଧିକ ଲୋକଙ୍କୁ କୃଷି ହିଁ ଜୀବିକା ଯୋଗାଇଥାଏ।.ଗତ ଦୁଇ ଦଶନ୍ଧିରେ ଓଡ଼ିଶା କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା। ୨୦୦୦ ମସିହାରେ ଚାଉଳ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଣରେ ଏକ ପ୍ରମୁଖ ରାଜ୍ୟ ହୋଇ ପାରିଛି।.କୃଷି କ୍ଷେତ୍ରରେ ବୈଷୟିକ ବିଦ୍ୟାର ପ୍ରୟୋଗ ଓ ସାର ବିହନ ଆଦିର ଉତ୍ତମ ବଣ୍ଟନ ଓଡ଼ିଶାକୁ ଏ ସଫଳତା ଆଣି ଦେଇଥିଲା।

ଓଡ଼ିଶାରେ ଏବେ ୭.୯୪ ଲକ୍ଷ ଟନ ସାର ମହଜୁଦ ଥିବା ରାଜ୍ୟ ସରକାର ଦାବୀ କରୁଥିବା ବେଳେ ଚାଷୀ କିନ୍ତୁ ସାର ପାଉନି| ୟୁରିଆ ସରକାରୀ ଦର ଠାରୁ ଉଚ୍ଚ ଦାମରେ ବିକ୍ରି ହେଉଛି। ଓଡ଼ିଶା ସରକାରଙ୍କ ମାର୍କଫେଡ୍, ଚାଷୀଙ୍କ ବଦଳରେ ଘରୋଇ ଡିଲରଙ୍କୁ ରିହାତିରେ ସାର ବିକୁଛି। ତେଣୁ ଚାଷୀ ଖରିଫ ଋତୁରେ ଚାଷ କାମ ଛାଡି ସାର ପାଇଁ ରାଜରାସ୍ତାକୁ ଓହ୍ଲାଉଛନ୍ତି, ଯାହା ଚିନ୍ତାର ବିଷୟ। ତାଳଚେର ସାର କାରଖାନା ବିଷୟରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୨୦୧୮ ରେ ଶିଳାନ୍ୟାସ କରାଯାଇଥିବା ତାଳଚେର ସାର କାରଖାନା ୩୬ ମାସରେ ଶେଷ ହେବ ବୋଲି ଘୋଷଣା କରାଯାଇଥିଲେ ବି ସାତ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇ ନ ପାରିବା ଦୁଃଖର ବିଷୟ।

ଖରିଫ ଋତୁ ଆରମ୍ଭରେ ସାର ଅଭାବ ତଥା ଯୋଗାଣରେ ଚାଲଥିବା ଅବ୍ୟବସ୍ଥା ଓ ଦୁର୍ନୀତିକୁ ରୋକିବାକୁ ଯଦି ପଦକ୍ଷେପ ନିଆ ନ ଯାଏ, ତେଵେ କୃଷି ଉତ୍ପାଦନରେ ବ୍ୟାଘାତ ସୃଷ୍ଟି ସହ ଚାଷୀ ଭାଇ ଭଉଣୀଙ୍କ ଜୀବିକାକୁ ମଧ୍ୟ ଏହା ପ୍ରଭାବିତ କରିବ ବୋଲି ନବୀନ ସତର୍କ କରି ଦେଇଛନ୍ତି।

ସେପଟେ ନବୀନଙ୍କ ଚିଠି ପରେ ଏହାର ଜବାବ ଦେଇଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କହିଛନ୍ତି, ରାଜ୍ୟରେ ସାରର ଅଭାବ ନାହିଁ । କେଉଁଠି ଅସୁବିଧା ପାଇଁ ନ ପହଞ୍ଚି ଥାଇପାରେ । ନବୀନ ବାବୁ କେବଳ ଚିଠି ଲେଖନ୍ତି, ହେଲେ ଏହାର ଫଳ କଣ ହୁଏ ସମସ୍ତେ ଜାଣିଛନ୍ତି ବୋଲି ସେ କହିଛନ୍ତି । ହେଲେ ଯୋଗାଣ ମନ୍ତ୍ରୀଙ୍କ ବୟାନ ଠାରୁ ଗ୍ରାଉଣ୍ଡରେ ଚିତ୍ର କିନ୍ତୁ ଭିନ୍ନ ରହିଛି। ପ୍ରତିଦିନ ରାଜ୍ୟର ବିଭିନ କୋଣାନୁକୋଣରୁ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସୁଛି।