ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯେଉଁ ଖବର କୁ କବର ଦେଇଦେଇଥିଲା ରାଜ୍ୟର ସମସ୍ତ ପ୍ରମୁଖ ଗଣ ମାଧ୍ୟମ,ଯେଉଁ ଖବର କୁ ଚାପି ଦେଇଥିଲା ରାଜ୍ୟ ପ୍ରଶାସନ,ଯେଉଁ ଖବର ବିଷୟରେ ମୁହଁ ଖୋଲିବା ପାଇଁ ରାଜ୍ୟର ତମାମ ବିରୋଧୀ ଦଳର ପାଟିରେ ବନ୍ଧା ହୋଇଥିଲା ତୁଣ୍ଡି।ଏମିତିକି ଯେଉଁ ଜିଲ୍ଲାରେ ଏହି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ ପ୍ରାଣପଣେ ଚେଷ୍ଟା କରିଥିଲା ଏହି ଖବର କାହା ପାଖରେ ନପହଞ୍ଚୁ ବା ପଦାକୁ ନଆସୁ। ସେଥିପାଇଁ ପତ୍ରକାର ବା ସାମ୍ବାଦିକ ହେଉ ଅବା ବିଭିନ୍ନ କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ଓ ରାଜନେତା ମାନଙ୍କୁ ଆଇନ୍ କାନୁନ୍ ର ଭୟ ବା ଆଳ ଦେଖାଇ ସେ ଅଞ୍ଚଳକୁ ଯିବାପାଇଁ ବାରଣ କରାଯାଇଥିଲା।ଯେଉଁମାନେ ଏହି ସରଳ ଆଦିବାସୀଙ୍କ ସ୍ୱରରେ ସ୍ୱର୍ ମିଶାଇବା ପାଇଁ ଚେଷ୍ଟା କରୁଥିଲେ ସେମାନଙ୍କୁ ରେଳ ଷ୍ଟେସନ୍ ହେଉ ଅବା ବସ୍ ଷ୍ଟାଣ୍ଡ ରୁ ହେଉ ବଳ ପୂର୍ବକ ସେମାନଙ୍କୁ ଅଟକ ରଖି ଜିଲ୍ଲା ବାହାରକୁ ପଠାଇ ଦିଆଯାଇଥିଲା।
ହଁ ଆଜ୍ଞା ଆମେ ଆଲୋଚନା କରୁଛୁ ରାୟଗଡ଼ା ଜିଲ୍ଲା ଏବଂ କଳାହାଣ୍ଡି ଜିଲ୍ଲା ମଧ୍ୟରେ ଥିବା ଯେଉଁ ସିଯିମାଳି ବକ୍ସାଇଟ ଖଣି ଅଛି,ଯାହାକୁ ବେଦାନ୍ତ ହାତକୁ ଟେକି ଦିଆଯାଇଛି।ଆଉ ବେଦାନ୍ତ ସେହି ବକ୍ସାଇଟ ଖଣିରେ କାର୍ଯ୍ୟ କରିବା ପାଇଁ ଯେଉଁଭଳି ଭାବରେ ଅତି ତରବରିଆ ଭାବେ ପ୍ରଶାସନ ଏବଂ ବେଦାନ୍ତ ମିଳିମିଶି ଯାହା ସାମ୍ବିଧାନିକ ବ୍ୟବସ୍ଥା ରହିଛି ଓ ସ୍ଥାନୀୟ ଆଦିବାସୀ ଏବଂ ଅଧିବାସୀଙ୍କର ସାମ୍ବିଧାନିକ ଯାହା ଅଧିକାର ରହିଛି ତାହାକୁ ସମ୍ପୁର୍ଣ୍ଣ ଦଳି ମକଚି ଦିଆଯାଇ ,ଏହି ଘଟଣାକୁ ଲୁଚା ଛପା ଭାବେ ଆଇନ୍ ଆଖିରେ ଆଙ୍ଗୁଠି ଗେଞ୍ଜି ଯେଉଁ ପ୍ରଚେଷ୍ଟା କରାଯାଇଥିଲା ବା ଖଣି ଖୋଳିବା ପାଇଁ ପ୍ରଶାସନ ପକ୍ଷରୁ ବେଆଇନ୍ ଭାବେ ଯେଉଁ ରାସ୍ତା ସୁଗମ କରାଯାଇଥିଲା ଏହା ଉପରେ ରୋକ୍ ଲଗାଇ ଦେଇଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଜଙ୍ଗଲ ଓ କ୍ଲାମିମେଟ୍ ଚେଞ୍ଜ ବିଭାଗ।ନୂଆ ଦିଲ୍ଲୀରେ ବିଭାଗୀୟ ପରାମର୍ଶ ଦାତା କମିଟି ବୈଠକରେ ବେଦାନ୍ତର ଖଣି ଖାଦାନ ଖୋଳିବା ପାଇଁ ସିଯିମାଳିର ୧୫୮୬ ହେକ୍ଟର ଜମି ମଧ୍ୟରୁ ସାତଶହ ରୁ ଆଠଶହ ହେକ୍ଟର ଜଙ୍ଗଲ ଜମିର ପ୍ରତିବନ୍ଧକ ଦୂରୀକରଣ ପାଇଁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି।ଏହାର ସବୁଠାରୁ ବଡ଼ କାରଣ ହେଉଛି ଶିଯିମାଳିର ଆଦିବାସୀ ମାନଙ୍କୁ ପୁରା ପ୍ରଶାସନ ଘେରାବନ୍ଦି ରଖିଛି।ଯେଉଁ ଅଧିବାସୀ ମାନେ ମାଆ ମାଟି ପାଇଁ ପାଟି ଖୋଲୁଛନ୍ତି ସେମାନଙ୍କୁ ମିଛ ମୋକଦ୍ଦମାରେ ଫାସାଇ ଦେଉଛନ୍ତି ବୋଲି ଗୁରୁତର ଅଭିଯୋଗ ଆସୁଛି।
ତେବେ ଏଭଳି ସମସ୍ୟା ନବୀନ ବାବୁଙ୍କ ସରକାର ସମୟରୁ ଅର୍ଥାତ୍ ୨୦୨୩ ମସିହାରୁ ଆରମ୍ଭ ହୋଇଛି ବା ଯେବେଠାରୁ ବେଦାନ୍ତ ନିଲାମ ହାତେଇଛି।ଏପରିକି ମାମଲା ହାଇକୋର୍ଟ କୁ ମଧ୍ୟ ଯାଇଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ହେଉଛି ବା ଗ୍ରାମବାସୀ ମାନେ ପ୍ରତିକ୍ରିୟା ଦେଉଛନ୍ତି ଯେ ଜାଲି ଗ୍ରାମସଭା କରାଯାଇଛି।ସେମାନେ କହିବା କଥା ପୋଲିସ୍, କମ୍ପାନୀ ଏବଂ ପ୍ରଶାସନ ମିଶିକି ଚଞ୍ଚକତା କରି ଜାଲି ତରିକାରେ ଗ୍ରାମସଭା କରାଯାଇ ସହମତି ଦିଆଯାଇଛି।ଏକଥା ଯେତେବେଳେ ଅଦାଲତରେ ପଡ଼ିଲା ସେତେବେଳେ ମାନ୍ୟବର ନ୍ୟାୟ ପାଳିକା କହିଲେ ଯେଉଁ ଅଭିଯୋଗ ଆସିଛି ଏହି ପ୍ରସଙ୍ଗକୁ ବିଚାରକୁ ନିଆଯାଇ ଆଉ ଥରେ ଗ୍ରାମସଭା କରାଯାଉ କିନ୍ତୁ ସରକାର ଏକଥା ଶୁଣିଲେ ନାହିଁ।ଏହି ପ୍ରକ୍ରିୟା ବିଜୁ ଜନତା ଦଳର ସରକାର ସମୟରୁ ଆରମ୍ଭ ହୋଇ ଆସିଥିବା ବେଳେ ମୋହନ ସରକାର ଆସିବା ପରେ ସମସ୍ତେ ଆଶା ବାନ୍ଧିଥିଲେ ଏଥର ଆମ ଉପରେ ହେଉଥିବା ଅତ୍ୟାଚାର ବା ଜୋର୍ ଜବରଦସ୍ତି ଖଣି ଖୋଳା କାର୍ଯ୍ୟରେ ରୋକ୍ ଲାଗିବ କିନ୍ତୁ ଏକଥା ହେଲା ନାହିଁ ମୋହନ ମାଝୀଙ୍କ ସରକାର ମଧ୍ୟ ସମାନ ଭାବରେ ପରିବେଶ ପ୍ରତିବନ୍ଧକ ଦୂରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଲେ।ଏହି ଘଟଣା ମୋହନ ମାଝୀଙ୍କ ସରକାର ଆସିବାପରେ ମାନ୍ୟବର ହାଇକୋର୍ଟ ଗତ ମାର୍ଚ୍ଚ ମାସରେ କହିଛନ୍ତି କି ମୋହନ ମାଝୀଙ୍କ ସରକାର ଆସିବା ପରେ ଏହି ଜାଲି ଗ୍ରାମସଭା କରାଯାଇଛି।ତେବେ ଯାହା ଲକ୍ଷ କରାଯାଉଛି ଯାହା ନବୀନ ସରକାରଙ୍କ ଅମଳରେ ହେଉଥିଲା ଠିକ୍ ସେମିତି ମୋହନ ସରକାରଙ୍କ ଅମଳରେ ମଧ୍ୟ ହେଉଛି।ଏବେ ଗ୍ରାମବାସୀ ମାନେ ଲଗାତାର ସଂଗ୍ରାମ ଜାରି ରଖିଥିବା ବେଳେ ଅନେକ ଲୋକଙ୍କୁ ମିଛ କେସ ଲଗାଇ ଜେଲ୍ କୁ ପଠାଇ ସାରିଛନ୍ତି।ଏମିତିକି କିଛି ଲୋକଙ୍କୁ ଦୁଇ ମାସ ପର୍ଯ୍ୟନ୍ତ ଜିଲ୍ଲାରେ ପଶି ପାରିବେନି ବୋଲି ଜିଲ୍ଲାପାଳ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ଯାହାକୁ ମାନ୍ୟବର ହାଇକୋର୍ଟ ସମୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ କହି ଏହି ନିର୍ଦ୍ଦେଶନାମା କୁ ହଟାଇ ଦେଲେ।ବିଭିନ୍ନ ସମୟରେ ସେହି ଅଞ୍ଚଳରେ ଦେଖା ଯାଉଛି ପୋଲିସ୍ ଜୋର୍ ଜବରଦସ୍ତି ପଶି ଗ୍ରାମବାସୀଙ୍କ ଉପରେ ବଳ ପ୍ରୟୋଗ କାଯାଇଥାଏକରୁଛି। ପୋଲିସ୍ କୁ ଏହି ଅଧିକାର ଦେଲା କିଏ ବୋଲି ଏବେ ପ୍ରଶ୍ନ ଉଠିଲାଣି।
ତେବେ କୌଣସି ସାମ୍ବାଦିକ ସେହି ସ୍ଥାନକୁ ଗଲେ ନାହିଁ।ଯେତେବେଳେ ସତ୍ୟପାଠ ଟିମ୍ ସେଠାକୁ ଯିବାକୁ ଚେଷ୍ଟା କରାଗଲା ଆମକୁ ମଧ୍ୟ କାଶିପୁର ପାଖରୁ ଅଟକାଇ ଦିଆଗଲା।ସେହି ଅଞ୍ଚଳର ଲୋକେ ନିଜେ ନିଜ ପାଇଁ ଲଢେଇ ଜାରି ରଖିଥିବା ବେଳେ କୌଣସି ରାଜନୈତିକ ନେତା କି ମନ୍ତ୍ରୀ ମାନଙ୍କ ଦେଖା ନମିଳିବା ନିହାତି ଦୁଃଖର ବିଷୟ।ଯଦି କମ୍ଫାନି ପାଇଁ ରାଜ୍ୟ ସରକାରଙ୍କ ଦୁର୍ବଳତା ନାହିଁ ବା ଅତ୍ୟଧିକ ପ୍ରୀତି ନାହିଁ ତାହେଲେ ନିଜ ରାଜ୍ୟର ଅଧିବାସୀ ମାନଙ୍କୁ ସରକାର କାହିଁକି ଏଭଳି ଠକୁଛନ୍ତି?ଏହା ପଛରେ କଣ ରହିଛି ଉଦ୍ଦେଶ୍ୟ?ସରକାର ଓ କମ୍ପାନୀ ମଧ୍ୟରେ କଣ ହୋଇଛି ଡ଼ିଲ୍?ଆହୁରି ମଧ୍ୟ ପ୍ରଶ୍ନ ଉଠିଲାଣି ଏସବୁ ଡ଼ିଲ୍ ବିଜେପି ସରକାରର ଦିଲ୍ଲୀରେ ବସିଥିବା ଗଡ ଫାଦର୍ ଙ୍କ ଇସାରାରେ ହେଉନି ତ? ରାଜ୍ୟ ସରକାର ଉପାୟ ଶୂନ୍ୟ ନୁହଁନ୍ତି ତ?ଲୋକ ମାନଙ୍କ ବିନା ସହମତିରେ,ସମସ୍ତ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଦଳି ମକଚି ଦେଇ ଖୁଲମ୍ ଖୁଲା ଭାବେ ଗ୍ରାମସଭାକୁ ଜାଲିଆତି କରି କାହିଁକି ଖଣି ଖୋଳିବା ନିମନ୍ତେ କରାଯାଉଛି ପ୍ରୟାସ?ଏସବୁ ଅନୁଧ୍ୟାନ କଲେ ସହଜେ ଅନୁମେୟ ଏ ସରକାର ଜାଲିଆତିର କେଉଁ ସ୍ତରକୁ ଗଲାଣି..।
