ପ୍ରଧାନଙ୍କ ପତିଆରା ଉପରେ ପ୍ରହାର; ଧର୍ମେନ୍ଦ୍ରଙ୍କ ଗଡ଼ରେ ମୋହନ-ମନମୋହନଙ୍କ ଧମାଲ

ସତ୍ୟପ୍ରକାଶ ନାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଧର୍ମେନ୍ଦ୍ର ପ୍ରଧାନ ଏବଂ ମୂଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମଧ୍ୟରେ ସମ୍ପର୍କ କେମିତି? ଏ ପ୍ରଶ୍ନ ଏମିତି ସେମିତି ପ୍ରଶ୍ନ ନୁହେଁ। ତମାମ ରାଜନେତା ଆଉ ରାଜନୀତିରେ ସାମାନ୍ୟ ତମ ରୁଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏ ପ୍ରଶ୍ନ ହେଉଛି ଏକ ବହୁମୂଲ୍ୟ ପ୍ରଶ୍ନ। କିଛିଦିନ ତଳେ ଆପଣ ମାନେ ଗଣମାଧ୍ୟମରେ ଦେଖିଥିବେ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀଙ୍କ ମଧ୍ୟରେ ଗୋଟିଏ ଭେଟ ଘାଟ ହୋଇଥିଲା। ଏହାକୁ ନେଇ ଆଲୋଚନା ହେଲା ଉଭୟଙ୍କ ମଧ୍ୟରେ ସମ୍ପର୍କ ମଧୁର ହୋଇଯାଇଛି ବା ଆଉ ଛକାପଞ୍ଝା ନାହିଁ କି ପୂର୍ବଭଳି ବ୍ୟକ୍ତିଗତ ପାୱାର ଲଢେଇ ନାହିଁ। ସର୍ବସାଧାରଣରେ ଏଭଳି ଏକ ଅସତ୍ୟ ମେସେଜ ଦିଆଗଲା।

ବାସ୍ତବରେ ଦଳ କ୍ଷମତାକୁ ଆସିଛି ସତ ,କିନ୍ତୁ ଦଳ ଭିତରେ ଫାଟ ବଢ଼ି ଯାଇଛି।କ୍ଷମତା ଆସିବା ସହିତ ଦଳ ଭିତରେ ଏବେ ଜୋର୍ ଦାର ଟଣା ଓଟରା କାହିଁକି ନା କ୍ଷମତା କୁ ଆସିବା ପୂର୍ବରୁ ଦଳ ଭିତରେ ସବୁଠାରୁ ପାୱାର ଫୁଲ ନେତା ଥିବା ବ୍ୟକ୍ତିଙ୍କ ହାତରୁ ବା ମନେ ମନେ ଯେଉଁ ବ୍ୟକ୍ତି ସବୁଠୁ ଅଧିକ ଆଶାୟୀ ଥିଲେ ତାଙ୍କ ହାତକୁ ଆସିଲା ନାହିଁ ମୂଖ୍ୟମନ୍ତ୍ରୀ ଗାଦି। ଠିକ୍ ତା ପରଠୁ ଚାଲିଛି ଟଣା ଓଟରା।ଉଭୟଙ୍କ ଭିତରେ ଯେଉଁ ଭିତିରି ଲଢେଇ ଚାଲିଛି ଏହାକୁ ନେଇକି ରାଜ୍ୟ ବିଜେପି ନେତୃତ୍ଵ ଆଉ କେନ୍ଦ୍ର ବିଜେପି ନେତୃତ୍ଵ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମସ୍ତଙ୍କ ମୁଣ୍ଡ ବିନ୍ଧା ବଢ଼ି ଚାଲିଛି।ଅନ୍ୟପଟେ ନିରନ୍ତର ଭାବେ ଚେଷ୍ଟା ଚାଲିଛି ବାହାରକୁ ଖବର ନଆସୁ ବା ବାହାର ଲୋକ ଏହାର ସୁରାକ ନପାନ୍ତୁ କିନ୍ତୁ ଏ ବିବାଦରେ ପୂର୍ଣ୍ଣଚ୍ଛେଦ ପଡୁ।

ଉଭୟଙ୍କ ମଧ୍ୟରେ ଆଉ ତୁ ତୁ ମେଁ ମେଁ ନାହିଁ ବୋଲି ବାହାରକୁ ଦେଖାଇ ହେବା ନିମନ୍ତେ ଧର୍ମେନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ଏକ ପ୍ରସ୍ତାବ ଦିଆଗଲା ଯେ ଉଭୟଙ୍କ ମଧ୍ୟରେ ଭେଟ ଘାଟ ହେବ।ଏଭଳି ପ୍ରସ୍ତାବ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଲେ ଲୋକସଭା ଭବନରେ ବୈଠକ ହେଉ କାରଣ ମୂଖ୍ୟମନ୍ତ୍ରୀ ଭଲଭାବେ ଜାଣିଛନ୍ତି ଲୋକସଭା ଭବନରେ ବସିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଆଦୌ ରାଜିହେବା ନାହିଁ।କାରଣ ଯେଉଁ ବ୍ୟକ୍ତି ତାଙ୍କ ଲୋକସଭା ଭବନକୁ ଯିବା ପାଇଁ ବା ନିଜ ଅକ୍ତିଆର କୁ ନେବାପାଇଁ ନିଜ ରାଜନୈତକ ଜୀବନକୁ ବାଜିରେ ଲଗାଇଛନ୍ତି ଆଉ ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ି ଯୋଡ଼ା ଆଉ ଘୋଡାର ବିଷୟ ଆରମ୍ଭ ହୋଇଛି ସେ ସେଠାକୁ ଆସିବେ ଅଥଚ ସେ ଚୌକି ରେ ନଥିବେ ତେଣୁ ପ୍ରଧାନ ବାବୁ କଦାପି ଲୋକସଭା ଭବନକୁ ଆସିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଭଲଭାବେ ଅବଗତ ଥିଲେ।ଠିକ୍ ସେଇଆ ହିଁ ହେଲା ପ୍ରଧାନ ବାବୁ ଏହି ପ୍ରସ୍ତାବରେ ରାଜି ହେଲେ ନାହିଁ।ପରେ ଷ୍ଟେଟ୍ ଗେଷ୍ଟ ହାଉସ ରେ ବୈଠକ ହେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୁହାଗଲା ଏଥିରେ ମଧ୍ୟ ପ୍ରଧାନ ବାବୁ ରାଜି ହେଲେ ନାହିଁ।କାରଣ ପ୍ରଧାନ ବାବୁ ଭଲଭାବେ ଜାଣିଛନ୍ତି ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭେଟ ଘାଟ ହେଲେ ନିଜର ଦବ ଦବା ପଣ ମଳିନ ପଡ଼ିବାର ଅନେକାଂଶରେ ଆଶଙ୍କା ଅଛି।ପରବର୍ତ୍ତୀ ସମୟରେ ପ୍ରଧାନ ବାବୁଙ୍କ ତରଫରୁ ପ୍ରସ୍ତାବ ଦିଆଗଲା ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ ହେଉ। ଶେଷରେ ମୋହନ ଚରଣ ମାଝୀଙ୍କ ଅନିଚ୍ଛା ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ କରାଗଲା।

ବାସ୍ତବରେ ସେ ବୈଠକ କୁ ଯଦି ନିରିକ୍ଷେଇ ଦେଖିବେ ତାହାଲେ ଜାଣିପାରିବେ ପୁରା ଦାପ୍ତରିକ ଭାବରେ ଅର୍ଥାତ୍ ଉଭୟଙ୍କ ସଚୀବ ଅଧିକାରୀ ଏହି ମାନଙ୍କ ଉପସ୍ଥିତିରେ ହୋଇଛି।କେଉଁ ଜାଗାରେ ବି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଧର୍ମେନ୍ଦ୍ର ପ୍ରଧାନ ଉଭୟଙ୍କ ମଧ୍ୟରେ ଏକାନ୍ତରେ ପରସ୍ପର ଆଲୋଚନା ବା କଥୋପକଥନ କରି ନାହାନ୍ତି।କିନ୍ତୁ ପ୍ରଧାନ ବାବୁ ଧୀରେ ଧୀରେ ଖସୁଥିବା ନିଜର ପତିଆରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏକ ନିର୍ଦ୍ଧିଷ୍ଟ ଘରୋଇ ଚ୍ୟାନେଲ୍ ର ପ୍ରତିନିଧିଙ୍କ ମାଧ୍ୟମରେ ପ୍ରାୟୋଜିତ ପ୍ରଶ୍ନ କରାଗଲା ଯେ ଆପଣଙ୍କର ମନ୍ତ୍ରୀ ମଣ୍ଡଳୀ ବାବଦରେ,ନିଗମ ବାବଦରେ,ସରକାରୀ ଓକିଲ ନିଯୁକ୍ତି ବାବଦରେ ଯେଉଁ କଥାବାର୍ତ୍ତା ଆଲୋଚନା ଚାଲିଛି ଏକଥା କେତେଦୂର ସତ?ଅର୍ଥାତ୍ ବାହାରକୁ ଖବର ଯିବ ଯେ ଏସବୁ ବାବଦରେ ଉଭୟଙ୍କ ମଧ୍ୟରେ ସୁସ୍ଥ ଆଲୋଚନା ଚାଲୁଛି କାରଣ ପ୍ରଧାନ ବାବୁଙ୍କୁ ଭଲଭାବେ ଜଣା ଏକ ପ୍ରମୁଖ ବଡ ଗଣମାଧ୍ୟମ ମାଧ୍ୟମରେ ଖବର କୁ ଯେଉଁ ରଙ୍ଗ ଦିଆଯିବ ଠିକ୍ ସେହି ଧାରାରେ ସମସ୍ତ ଖବର ବାଜିବ।

ଅନ୍ୟପକ୍ଷରେ ଯଦି ନୂଆଖାଇ ଭେଟ ଘାଟ କଥା ଆଲୋଚନା କରିବା ସମ୍ବଲପୁର ଦୁଲୁକୁଥିବା ବେଳେ ନିଜର ଗଡ ଉପରେ ଖୋଦ୍ ସାଂସଦ ଧର୍ମେନ୍ଦ୍ର ପ୍ରଧାନ କାହିଁକି ଅନୁପସ୍ଥିତ ରହିଥିଲେ। ଯୋଡା ଆଉ ଘୋଡ଼ା ସରି ନୁହଁ ବୋଲି ପୂର୍ବରୁ କହିଥିଲେ ମୋହନ ମାଝୀ, ଏବେ ଯୋଡା ଯାଇକି ଘୋଡାର ଗଡ ଭିତରେ ଧମକା କରୁଥିବା ବେଳେ ଘୋଡାଙ୍କର କାହିଁକି ଦେଖା ନଥିଲା?ଏହାଠାରୁ ବଡ଼ ବିଡମ୍ବନା ଆଉ କଣ ହୋଇପାରେ। ଓଡ଼ିଆରେ ଢଗ ଅଛି ଯେତେବେଳେ ଲାଜେ କାନ୍ଦି ନପାରି ଆଖି ମଳିମାଳି କାନ୍ଦୁଥିବା ଠାରୁ ଦୁଃଖର ମୁହୁର୍ତ୍ତ ଆଉ କିଛି ନାହିଁ।ଅନ୍ୟପଟେ ସମାନ୍ତରାଳ ଭାବେ ପ୍ରଶ୍ନ ଆସୁଛି ଉପରାଷ୍ଟ୍ରପତିଙ୍କ ନିର୍ବାଚନକୁ ନେଇ ଦିଲ୍ଲୀରେ NDA ର ଡିନର ପାର୍ଟି ଥିଲା ବୋଲି ପ୍ରଧାନ ବାବୁ ଆସିପାରିଲେ ନାହିଁ କି? ନା ତାଙ୍କୁ ଡକା ଯାଇନଥିଲା ନୂଆଖାଇ ଭେଟ ଘାଟ ଉତ୍ସବକୁ?ଯଦି ଡିନର ଭଳି ଗୁରୁତ୍ୱପୂର୍ଣ୍ଣ ତାରିଖ ଥିଲା ଗତକାଲି ତେବେ ନୂଆଖାଇ ଉତ୍ସବକୁ ତ ପରବର୍ତ୍ତୀ ସମୟରେ ଆୟୋଜନ କରାଯାଇପାରିଥାନ୍ତା!ତେବେ ଏସବୁ କାହିଁକି ହେଲାନାହିଁ।ବାସ୍ତବରେ ପ୍ରଧାନ ବାବୁଙ୍କୁ ଏମିତି ସମୟରେ ଚାପି ଦିଆଯାଇଛି ନା ସେ ସହି ପାରୁଛନ୍ତି ନା କାହାକୁ କହି ପାରୁଛନ୍ତି।କିନ୍ତୁ ସେ କଚ୍ଚା ଖେଳାଣି ନୁହଁନ୍ତି ସେ ହେଉଛନ୍ତି ପକ୍କା ଖେଳାଳି।ସେ ନିହାତି ପ୍ରତି ଆକ୍ରମଣ କରିବେ ବୋଲି ରାଜନୀତି ଅଳନ୍ଧିରେ ଆଲୋଚନା ହେଉଛି।ତେବେ ସର୍ବମୋଟ କୁହାଯାଇପାରେ ସାଂପ୍ରତିକ ବର୍ତ୍ତମାନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବୋଧେ ଅନ୍ତତଃ ବର୍ତ୍ତମାନ ପାଇଁ ଚାହୁଁନାହିଁ ଧର୍ମେନ୍ଦ୍ର ପ୍ରଧାନ ବାବୁଙ୍କୁ ଭାଉ ଦେବାପାଇଁ। ଇଏ ରାଜନୀତିର ଖେଳ ଆଜ୍ଞା। କେତେବେଳେ କେଉଁ ପଶା ପଲଟିବ କହିବା ମୁସ୍କିଲ । ତେବେ ଦେଖିବାକୁ ବାକିରହିଲା ଘୋଡ଼ା ଆଉ ଯୋଡାଙ୍କ ମଧ୍ୟରୁ କାହାର ହେଉଛି ଜିତାପଟ୍?

Related Posts