ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାତ୍ୟା ମୋନ୍ଥା ପାଇଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗିରହିଛି । ଏହା ମଧ୍ୟରେ ବାତ୍ୟାକୁ ମୁକାବିଲା କରିବା ପାଇଁ ଓଡ଼ିଶା ଶକ୍ତି ବିଭାଗ ପ୍ରସ୍ତୁତ ରହିଛି । ତେବେ ବାତ୍ୟା ‘ମୋନ୍ଥା’ ଉପରେ ନଜର ରଖି, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବାତ୍ୟାର ସମ୍ଭାବ୍ୟ ପ୍ରଭାବର ମୁକାବିଲା ପାଇଁ ବିଭିନ୍ନ ସରକାରୀ ବିଭାଗର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।
ବୈଠକରେ ଉନ୍ନୟନ କମିଶନର, ଏସିଏସ୍ ତଥା-ସ୍ୱତନ୍ତ୍ର ରିଲିଫ୍ କମିଶନର, ଶକ୍ତି ବିଭାଗ ପ୍ରମୁଖ ସଚିବ ଏବଂ ଅନ୍ୟ ବିଭାଗର ସଚିବମାନେ ଯୋଗ ଦେଇଥିଲେ । ଶକ୍ତି ବିଭାଗ ତାର ପ୍ରସ୍ତୁତି ଏବଂ ବିଦ୍ୟୁତ ଭିତ୍ତିଭୂମି ଉପରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ କମ କରିବା ଏବଂ ରାଜ୍ୟ ସାରା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପସ୍ଥାପନ କରିଥିଲା । ପ୍ରଭାବିତ ଗ୍ରାହକମାନଙ୍କୁ ପୁନରୁଦ୍ଧାର ଅଗ୍ରଗତି ବିଷୟରେ ସୂଚନା ଦେବା ପାଇଁ କଲ୍ ସେଣ୍ଟର ସହିତ ସମନ୍ୱୟକୁ ମଧ୍ୟ ସୁଦୃଢ଼ କରାଯାଇଛି । ଗ୍ରାହକମାନେ ୨୪ ଘଣ୍ଟିଆ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର 1912 ମାଧ୍ୟମରେ ବିଦ୍ୟୁତ୍ ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତି ବିଷୟରେ ରିପୋର୍ଟ କରିପାରିବେ ।





