ପୱାଇ ଷ୍ଟୁଡିଓରେ ବନ୍ଧକ ଆତଙ୍କ: ମୁମ୍ବାଇ ପୋଲିସ ୧୭ ଜଣ ପିଲାଙ୍କୁ ଉଦ୍ଧାର କଲା; ଗୁଳିଚାଳନା ସମୟରେ ଅଭିଯୁକ୍ତକୁ ହତ୍ୟା କରିଛି ପୋଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୱାଇ ଷ୍ଟୁଡିଓରେ ବନ୍ଧକ ଆତଙ୍କ । ମୁମ୍ବାଇ ପୋଲିସ ୧୭ ଜଣ ପିଲାଙ୍କୁ ଉଦ୍ଧାର କଲା । ଗୁଳିଚାଳନା ସମୟରେ ଅଭିଯୁକ୍ତଙ୍କୁ ହତ୍ୟା କରିଛି ମ୍ବମ୍ବାଇ ପୋଲିସ । ତେବେ ପୋଵାଇ ଥାନାକୁ ଏକ ଜରୁରିକାଳୀନ ଫୋନ୍‌ ଆସିଥିଲା। ଷ୍ଟୁଡିଓ ଭିତରେ ଜଣେ ବ୍ୟକ୍ତି ଶିଶୁମାନଙ୍କୁ ବନ୍ଧକ ରଖିଥିବା ସୂଚନା ମିଳିଥିଲା। ତୁରନ୍ତ ପୁଲିସ୍‌ର ଏକାଧିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଷ୍ଟୁଡିଓର କାଚ ଝରକା ଦେଇ ଆତଙ୍କିତ ଶିଶୁମାନେ ବାହାରକୁ ଚାହୁଁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି କାଣ୍ଡ ଘଟାଇଥିବା ରୋହିତ ନିଜର ମୋବାଇଲ୍‌ରେ ଏକ ଭିଡିଓ ରେକର୍ଡ କରି ପଠାଇଥିଲା, ଯେଉଁଥିରେ ସେ କହିଥିଲା- ‘ମୁଁ ରୋହିତ ଆର୍ଯ୍ୟ ଏକ ଯୋଜନା ପ୍ରସ୍ତୁତ କରିଛି ଏବଂ ଆତ୍ମହତ୍ୟା କରିବା ପରିବର୍ତ୍ତେ କିଛି ପିଲାଙ୍କୁ ଏଠାରେ ପଣବନ୍ଦୀ ରଖିଛି। ମୋର ବେଶି ଦାବି ନାହିଁ, ଅତି ସରଳ ଓ ଯୁକ୍ତିଯୁକ୍ତ ଦାବି। ମୋର କିଛି ପ୍ରଶ୍ନ ଅଛି । ମୁଁ କିଛି ଲୋକଙ୍କ ସହ କଥା ହେବାକୁ ଚାହୁଛି। ମୁଁ ସେମାନଙ୍କୁ ପ୍ରଶ୍ନ ପଚାରିବାକୁ ଚାହୁଛି। ମୁଁ ଆତଙ୍କବାଦୀ ନୁହେଁ କି ପିଲାମାନଙ୍କୁ ମୁକ୍ତ କରିବା ପାଇଁ ବିପୁଳ ଅର୍ଥ ଦାବି କରୁନାହିଁ। ମୁଁ କେବଳ କଥାବାର୍ତ୍ତା ମାଧ୍ୟମରେ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବା‌କୁ ଚାହୁଛି।’ ରୋହିତ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇ କହିଥି‌ଲା ଯେ ଯଦି ପିଲାମାନେ କ୍ଷତିଗ୍ରସ୍ତ ହୁଅନ୍ତି, ତାକୁ ଦାୟୀ କରାଯିବା ଉଚିତ ନୁହେଁ। ପ୍ରଥମେ ପୁଲିସ ରୋହିତ ସହ ଆଲୋଚନା କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସେ ଅଟଳ ରହି କାହାକୁ ଛାଡ଼ିବାକୁ ରାଜି ହୋଇନଥିଲା। ଅବଶେଷରେ ପୁଲିସ୍‌ ଏକ ରଣନୀତି ପ୍ରସ୍ତୁତ କରି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା। ଷ୍ଟୁଡିଓର ବାଥରୁମ୍‌ ଝରକା ଦେଇ ପୁଲିସ୍‌ ଭିତରକୁ ପ୍ରବେଶ କରି ଶିଶୁମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଥିଲା। ଏହି ଅଭିଯାନ ସମୟରେ ରୋହିତ ପୁଲିସକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ଏବଂ ପୁଲିସର ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିଲା।

ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରୋହିତର ମୃତ୍ୟୁ ଘଟିଛି। ପୁଲିସର ସଫଳ ଅପରେସନ୍‌ରେ ୧୭ ଜଣ ଶିଶୁ ଓ ଅନ୍ୟ ଦୁଇ ଜଣ ବ୍ୟକ୍ତି ସୁରକ୍ଷିତ ଉଦ୍ଧାର ହୋଇଥିଲେ। ଘଟଣାସ୍ଥଳରେ ହିଁ ଶିଶୁମାନଙ୍କୁ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଥିଲା। ଜୋନ୍‌ ୧୦ର ଡେପୁଟି କମିସନର ଦତ୍ତା ନଳବଡେ ଗଣମାଧ୍ୟମକୁ କହିଛନ୍ତି, ୩୫ ମିନିଟ୍‌ର ଏକ ଜଟିଳ ଅପରେସନ୍‌ରେ ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ଏବଂ ଗୁଳିମାଡ଼ରେ ଆହତ ଅଭିଯୁକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ବୋଲି କହିଛନ୍ତି ।

Related Posts