ଭୁବନେଶ୍ୱର, (ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ। ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ଅର୍ଥାତ୍ ମୌସୁମୀ ଅଧିବେଶନ। ଏହା ପୂର୍ବରୁ ଆଜି ସର୍ବଦଳୀୟ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୌସୁମୀ ଅଧିବେଶନ କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ଉଭୟ ଶାସକ ଓ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଏହାସହିତ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି। ବିଧାନସଭା ସମ୍ମିଳନୀ କକ୍ଷରେ ଆହୂତ ଏହି ବୈଠକରେ ଶାସକ ବିଜେପି ବିରୋଧୀ ବିଜେଡି, କଂଗ୍ରେସ ଓ ସିପିଏମ୍ ବିଧାୟକ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ବୈଠକରେ ଉପସ୍ଥିତ ଥିଲେ। ଏହାସହ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲୀଙ୍ଗ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ,ଉପ ମୁଖ୍ୟ ସଚେତକ ପ୍ରତାପ ଦେବ, କଂଗ୍ରେସ ବିଧାୟକ ଅଶୋକ ଦାସ ପ୍ରମୁଖ ବୈଠକରେ ଶୃଙ୍ଖଳିତ ଅଧିବେଶନ ନେଇ ନିଜର ମତାମତ ରଖିଥିଲେ। ଅନ୍ୟପଟେ ଚଳିତ ମୌସୁମୀ ଅଧିବେଶନ ଆସନ୍ତା ଅକ୍ଟୋବର ୩ ଯାଏଁ ଚାଲିବ ବୋଲି ଜଣାପଡିଛି। ଏହି ଅଧିବେଶନରେ ମୋଟ ୯ଟି କାର୍ଯ୍ୟ ଦିବସ ରହିଥିବା ବେଳେ ଗୋଟିଏ ଛୁଟି ଏବଂ ଦୁଇଟି ‘ନୋ ମିଟିଂ’ ଦିନ ରହିଛି। ବିଧାନସଭା ସଚିବାଳୟ ପକ୍ଷରୁ ସ୍ଥିର କାର୍ଯ୍ୟସୂଚୀ ଅନୁୁସାରେ, ସେପ୍ଟେମ୍ବର ୨୨ ତାରିଖ ମଙ୍ଗଳବାରରୁ ଅଧିବେଶନର ସରକାରୀ କାର୍ଯ୍ୟ ଆରମ୍ଭ ହେବ। ୨୩ ତାରିଖ ବୁଧବାର ଓ ୨୪ ତାରିଖ ଗୁରୁବାର ମଧ୍ୟ ସରକାରୀ କାର୍ଯ୍ୟ ପାଇଁ ନିର୍ଦ୍ଧାରିତ ରହିଛି। ୨୫ ତାରିଖ ଶୁକ୍ରବାରରେ ବେସରକାରୀ ସଦସ୍ୟ କାର୍ଯ୍ୟ ଅର୍ଥାତ୍ ପ୍ରାଇଭେଟ ମେମ୍ବର ବିଲ୍ ଓ ସଂଶୋଧନ ବିଲ ପ୍ରସ୍ତାବ ଉପରେ ଆଲୋଚନା ହେବ। ୨୬ ଓ ୨୭ ତାରିଖ ଶନିବାର ଓ ରବିବାର ସଭା ବନ୍ଦ ରହିବ। ଏହାପରେ ୨୮ ତାରିଖ ସୋମବାର, ୨୯ ତାରିଖ ମଙ୍ଗଳବାର ଓ ୩୦ ତାରିଖ ବୁଧବାରରେ ପୁଣି ସରକାରୀ କାର୍ଯ୍ୟ ଚାଲିବ। ଅକ୍ଟୋବର ମାସରେ ୧ ତାରିଖ ଗୁରୁବାର ସରକାରୀ କାର୍ଯ୍ୟ ପାଇଁ ନିର୍ଦ୍ଧାରିତ ରହିଛି। ୨ ତାରିଖ ଶୁକ୍ରବାର ଗାନ୍ଧୀ ଜୟନ୍ତୀ ଅବସରରେ ଛୁଟି ରହିବ। ଶେଷରେ ୩ ତାରିଖ ଶନିବାରରେ ସରକାରୀ କାର୍ଯ୍ୟ ସହିତ ଅଧିବେଶନ ସମାପ୍ତ ହେବ। ମୌସୁମୀ ଅଧିବେଶନରେ ମୋହନ ସରକାର ଏକାଧିକ ବିଲ ଓ ସଂଶୋଧିତ ବିଲ ଉପସ୍ଥାପନ କରିବେ ବୋଲି ଅନୁମାନ କରାଯାଉଛି। ତେବେ ଏଥରର ଅଧିବେଶନ ଉଷ୍ମ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ଅନୁମାନ କରୁଛନ୍ତି। ସରକାରଙ୍କୁ ଗୃହରେ ଘେରିବା ପାଇଁ ବିରୋଧୀ ସଜବାଜ ହେଉଥିବା ବେଳେ ଶାସକ ଦଳ ଏହାର ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି।
