ପାରାଦୀପ, ଧାମରା ବନ୍ଦର ସହିତ ମହାନଦୀ, ବ୍ରାହ୍ମଣୀ ଜଳପଥର ବିକାଶ; ଏନେଇ ନିବେଶ ହେବାକୁ ଯାଉଛି ୧୨,୨୦୦ କୋଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାରାଦୀପ, ଧାମରା ବନ୍ଦର ସହିତ ମହାନଦୀ, ବ୍ରାହ୍ମଣୀ ଜଳପଥର ବିକାଶ ହେବାକୁ ଯାଉଛି। ଏନେଇ ନିବେଶ ହେବାକୁ ଯାଉଛି ୧୨,୨୦୦ କୋଟି ଟଙ୍କା। ତେବେମୁମ୍ବାଇର ନେସ୍କୋ ପଡ଼ିଆରେ ଅନୁଷ୍ଠିତ ଇଣ୍ଡିଆ ମାରିଟାଇମ୍ ୱିକ୍ ୨୦୨୫ରେ ଜାତୀୟ ଜଳପଥ-୫ (ଏନ୍‌ଡବ୍ଲୁ-୫) ଏବଂ ଜାତୀୟ ଜଳପଥ-୬୪ (ଏନ୍‌ଡବ୍ଲୁ-୬୪)ର ବିକାଶ ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ(ଆଇଡବ୍ଲୁଏଆଇ), ଓଡ଼ିଶା ସରକାର, ପାରାଦୀପ ବନ୍ଦର ଓ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍( ଏମ୍‌ସିଏଲ) ମଧ୍ୟରେ ଏହି ଚୁକ୍ତି ହୋଇଛି। ଏହି ଜାତୀୟ ଜଳପଥରେ ପାରାଦୀପ ଓ ଧମରା ବନ୍ଦର ସହିତ ମହାନଦୀ ଓ ବ୍ରାହ୍ମଣୀ ନଦୀକୁ ଉପଯୋଗ କରି ମାଲ ପରିବହନ ଏବଂ ଆଞ୍ଚଳିକ ଆର୍ଥିକ ଅଭିବୃଦ୍ଧି ପାଇଁ ନଦୀପ୍ରଣାଳୀକୁ ଉପଯୋଗ କରାଯିବ। ଏଥିରେ ୧୨,୨୦୦ କୋଟି ଟଙ୍କା ନିବେଶ ହେବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ହୋଇଥିଲା।

ଓଡିଶା ସରକାରଙ୍କ ପକ୍ଷରୁପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ। ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ତାଳଚେର କୋଇଲାକ୍ଷେତ୍ରରୁ ପାରାଦୀପ ଏବଂ ଧାମରା ବନ୍ଦରକୁ କୋଇଲା ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ ହୋଇପାରିବ। ଏହା ଲଜିଷ୍ଟିକ୍ସ୍‌ ଖର୍ଚ୍ଚ ହ୍ରାସ କରିବା ସହ ରାସ୍ତା ଓ ରେଳପଥ ଉପରେ ଥିବା ଟ୍ରାଫିକ୍ ଚାପ କମ୍ କରିବ ଏବଂ ଦୁର୍ଘଟଣା ମଧ୍ୟ ହ୍ରାସ କରିବାରେ ସହାୟକ ହେବ।

Related Posts