ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁନ୍ଦରଗଡ଼ ଜିଲ୍ଲାରେ ଆଣ୍ଠେଇଛି ସ୍ବାସ୍ଥ୍ୟସେବା । ଶଯ୍ୟା ଅଛି ହେଲେ ନାହାନ୍ତି ଡାକ୍ତର । ତେବେ ସିଏଚ୍ସି ଓ ପିଏଚ୍ସି ପରି ବୀମାଭୁକ୍ତ ଶ୍ରମିକ ପରିବାରଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ରହିଥିବା ଇଏସ୍ଆଇ ଡିସ୍ପେନ୍ସାରି ଓ ହସ୍ପିଟାଲର ସ୍ଥିତି ସାଂଘାତିକ। ଜିଲ୍ଲାର ପ୍ରାୟ ୫ ଲକ୍ଷ ୧୯ ହଜାର ବୀମାଭୁକ୍ତ ଶ୍ରମିକ ପରିବାର ପାଇଁ ରହିଛି ୧୧ଟି ଡିସ୍ପେନ୍ସାରି ଓ ହସ୍ପିଟାଲ। କୋଇଡ଼ା, ବଣାଇ, ରାଉରକେଲା ଜେଲ୍ରୋଡ୍, ଫର୍ଟିଲାଇଜର୍ ସୋନାପର୍ବତ, ରାଉରକେଲା ବିର୍ସାମୁଣ୍ଡା ଛକ, କୁଆରମୁଣ୍ଡା, ଶିଳ୍ପାଞ୍ଚଳ କଲୁଙ୍ଗା, ରାଜଗାଙ୍ଗପୁର, ସୁନ୍ଦରଗଡ଼ର କିରେଇରେ ସେଗୁଡ଼ିକ ସ୍ଥାପନ କରାଯାଇଛି। ମାତ୍ର ସେ ସବୁଥିରେ କେଉଁଠି ଡାକ୍ତର ନାହାନ୍ତି ତ ଅନ୍ୟକେଉଁଠି କର୍ମଚାରୀ ଓ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ। ବିର୍ସା ଡିସ୍ପେନ୍ସାରିରେ ୫ ଡାକ୍ତରଙ୍କ ଆବଶ୍ୟକତା ଥିଲା ବେଳେ ଅଛନ୍ତି ମାତ୍ର ୨ ଜଣ। କର୍ମଚାରୀ ଓ ଆନୁଷଙ୍ଗିକ ଯନ୍ତ୍ରପାତିରେ ବି ସମାନ ସମସ୍ୟା। ରାଉରକେଲାରେ ୫ ଡାକ୍ତରଙ୍କ ଜାଗାରେ ଅଛନ୍ତି ୩ ଜଣ। କାଂଶବାହାଲରେ ୬ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୨ ଜଣ। ୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ କେବଳ ଡାକ୍ତର ନୁହେଁ, କର୍ମଚାରୀ ମଧ୍ୟ ନାହାନ୍ତି। କାରଖାନା ଅଞ୍ଚଳ ରାଜଗାଙ୍ଗପୁରରେ ମାତ୍ର ୨ ଜଣ ଡାକ୍ତରରେ ଚାଲିଛି। ଏଠି ମଧ୍ୟ ୫୦ ଶଯ୍ୟା ରହିଛି।
ରୋଗୀ ଚିକିତ୍ସା କରିବାକୁ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ଦିଗରେ ସରକାର ଧ୍ୟାନ ଦେଉନାହାନ୍ତି। କୁଆରମୁଣ୍ଡା, କଲୁଙ୍ଗା, କୋଇଡ଼ା, ବଣାଇ, ସୋନାପର୍ବତ, କିରେଇରେ ଜଣେ ଲେଖାଏଁ ଡାକ୍ତର ଥିଲେ ହେଁ ଡିସ୍ପେନ୍ସାରି ସ୍ଥିତି ଦୟନୀୟ। କାରଖାନା କର୍ତ୍ତୃପକ୍ଷ ମାସିକ ଇଏସ୍ଆଇରେ ଜମା କରୁଥିବା ସତ୍ତ୍ବେ ଶ୍ରମିକମାନେ ଉପଯୁକ୍ତ ଚିକିତ୍ସାସେବାରୁ ବଞ୍ଚିତ ହେଉଛନ୍ତି।





