ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପ ନିର୍ବାଚନକୁ ନେଇ ସାରା ରାଜ୍ୟର ରାଜନୀତିକ ମାହଲ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ଆସନ୍ତା ୩ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଯିବେ ବୋଲି ସୂଚନା ମିଳିଛି । ନୂଆପଡ଼ାରେ ବିଜେଡି ପ୍ରଚାରର ମଙ୍ଗ ଧରିବେ ନବୀନ ପଟ୍ଟନାୟକ । ସାଧାରଣ ସଭା ସହ କରିବେ ରୋଡ୍ ଶୋ’ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗିବେ ଭୋଟ୍ । ନୂଆପଡ଼ା ଉପ ନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ଆଗକୁ ମଇଦାନକୁ ଓହ୍ଲାଇବେ ସବୁ ଦଳର ହେଭିଓ୍ବେଟ୍ । ଏହାରି ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ନୂଆପଡ଼ାରେ ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି ।
ନଭେମ୍ବର ୩ ତାରିଖରେ କୋମନା ଠାରେ ଏକ ସାଧାରଣ ସଭାରେ ଯୋଗଦେବେ ନବୀନ । କୋମନା ବିଜେଡିର ଏକ ବଡ଼ ଭୋଟ୍ ବ୍ୟାଙ୍କ ହୋଇଥିବାରୁ ଏଠାରେ ଭୋଟ୍ ଯେମିତି ଭାଗ ନହୁଏ ସେଥିପାଇଁ ବଡ଼ ପ୍ଲାନ୍ କରିଛି ବିଜେଡି । ଆଉ ନବୀନଙ୍କ କୋମନା ଗସ୍ତ ବଡ଼ ପ୍ରଭାବ ପକାଇବ ବୋଲି ଆଶା ରଖିଛି ଦଳ । ସେପଟେ ନଭେମ୍ବର ୭ ତାରିଖରେ ଖରିଆର୍ ରୋଡ୍ ଠାରୁ ନୂଆପଡ଼ା ପର୍ଯ୍ୟନ୍ତ ପ୍ରାୟ ୧୨ କିଲୋମିଟର ରୋଡ୍ ଶୋ’ ନବୀନ ପଟ୍ଟନାୟକ କରିବେ ବୋଲି ସୂଚନା ମିଳିଛି ।





