ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ପୂର୍ବତନ ପ୍ରଧାନମନ୍ତ୍ରୀ ସମେତ ୨୬୦ ଜଣଙ୍କୁ ପଳାତକ ଘୋଷିତ କଲା ବାଂଲାଦେଶ ସିଆଇଡି । ତେବେ ଢାକା ଟ୍ରିବ୍ୟୁନ୍ ଅନୁଯାୟୀ, ଶୁକ୍ରବାର ଜାରି ହୋଇଥିବା ଏହି ବିଜ୍ଞପ୍ତିରେ ସିଆଇଡିର ସ୍ୱତନ୍ତ୍ର ଅଧୀକ୍ଷକ(ମିଡିଆ) ଜାସିମ୍ ଉଦ୍ଦିନ ଖାନ୍ ସ୍ବାକ୍ଷର କରିଛନ୍ତି ଏବଂ ଢାକା ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହା ପ୍ରକାଶିତ ହୋଇଛି। ଏହି ନୋଟିସ୍ ବାଂଲାଦେଶର ଦୁଇଟି ଖବରକାଗଜ ‘ଦ ଡେଲି ଷ୍ଟାର୍’ ଓ ‘ଆମାର ଦେଶ’ରେ ପ୍ରକାଶ ପାଇଛି।ଗୃହ ମନ୍ତ୍ରାଳୟର ଅନୁମୋଦନକ୍ରମେ ସିଆଇଡି ଦେଶଦ୍ରୋହ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଢାକା ଟ୍ରିବ୍ୟୁନ୍ ରିପୋର୍ଟ ଅନୁଯାୟୀ, ଏହି ଅନୁସନ୍ଧାନରେ ଅନ୍ଲାଇନ୍ ପ୍ଲାଟଫର୍ମ ‘ଜୟ ବାଂଲା ବ୍ରିଗେଡ୍’ ମାଧ୍ୟମରେ ଘରୋଇ ଓ ଅନ୍ତର୍ଜାତୀୟ ସ୍ତରରେ ଷଡ୍ଯନ୍ତ୍ରକାରୀ କାର୍ଯ୍ୟକଳାପର ପ୍ରମାଣ ପ୍ରକାଶ ପାଇଛି, ଯାହା ବୈଧ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ ହୋଇଛି। ପ୍ଲାଟଫର୍ମ ଅନୁଯାୟୀ, ଏହି ବ୍ରିଗେଡ୍ ଶେଖ୍ ହସିନା ଓ ତାଙ୍କ ପିତା ଶେଖ୍ ମୁଜିବୁର ରହମାନଙ୍କ ନେତୃତ୍ୱର ଦୃଢ଼ ସମର୍ଥକ। ଅଭିଯୋଗ ଅନୁସାରେ, ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଜଣେ ଷଡ଼୍ଯନ୍ତ୍ରକାରୀ, ହତ୍ୟାକାରୀ ଓ ‘ଭିଡ଼ ନ୍ୟାୟର ଜନକ’ ଯିଏ ବାଂଲାଦେଶରେ ଆତଙ୍କବାଦ ଓ ଉଗ୍ରବାଦକୁ ପ୍ରୋତ୍ସାହନ ଦେଇଥିଲେ।
ସର୍ଭର ଓ ସୋସିଆଲ ମିଡିଆରୁ ଡିଜିଟାଲ୍ ତଥ୍ୟର ଫୋରେନସିକ୍ ବିଶ୍ଳେଷଣ ସହିତ ଅନୁସନ୍ଧାନ ଶେଷ ହେବା ପରେ ସିଆଇଡି ଶେଖ୍ ହସିନାଙ୍କ ସମେତ ୨୮୬ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଗୁରୁବାର ଢାକା ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ-୧୭ ବିଚାରପତି ଆରିଫୁଲ୍ ଇସଲାମ୍ ଶେଖ୍ ହସିନା ଓ ଅନ୍ୟ ୨୬୦ ଜଣଙ୍କୁ ଫେରାର ଘୋଷଣା କରିବା ସହ ନୋଟିସ୍ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ।





