ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ଘରେ ନିଆଁ ଲଗାଇବାକୁ ଉଦ୍ୟମ କଲା ଦୁର୍ବୃତ୍ତ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରୁ । ତେବେ ଘଟଣାକୁ ନେଇ ଥାନାରେ ଅଭିଯୋଗ କରିବାରୁ ଘର ଜାଳିଦେବାକୁ ଉଦ୍ୟମ କରିଛି ଅଭିଯୁକ୍ତ । ନାବାଳିକାଙ୍କ ଘରେ ପଶି ଅଭିଯୁକ୍ତ ମୁକେଶ ସିଂ ଦୁଷ୍କର୍ମ ଉଦ୍ୟମ କରିଥିଲା । ନାବାଳିକା ଜଣକ ଚିତ୍କାର କରିବାରୁ ତାଙ୍କ ବାପା ମାଆ ଉଠିଯାଇଥିଲେ ।ପରେ ମୁକେଶ ସେଠାରୁ ଫେରାର ହୋଇଯାଇଥିଲା । ଗତକାଲି ବାପାମାଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାତିରେ ଅଭିଯୁକ୍ତ ମୁକେଶ ତାଙ୍କ ଘର ଜାଳି ଦେବା ପାଇଁ ମଧ୍ୟ ଉଦ୍ୟମ କରିଥିଲା ।
ଅଭିଯୁକ୍ତ ମୁକେଶ ପୂର୍ବରୁ ପାହାଡିଚିତା ଗ୍ୟାଙ୍ଗର ସଦସ୍ୟ ଥିଲା । ସେ ଅନେକ ଅପରାଧ ସହିତ ଜଡ଼ିତ ଥିବା ଜଣାପଡ଼ିଛି । ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ବଟି ମାଗିବା ଘଟଣାରେ ପୂର୍ବରୁ ଜେଲ ଯାଇଥିଲା ମୁକେଶ । ଏବେ ଅଭିଯୁକ୍ତ ଫେରାର ଥିବାବେଳେ ପୁଲିସ ତାକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବାର ସୂଚନା ମିଳିଛି ।





