Bihar Election: ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ୬ ନଭେମ୍ବର ୨୦୨୫ରେ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାରେ ମୋଟ ୧୨୧ଟି ଆସନରେ ଆଜି ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମୋଟ ୩.୭୫ କୋଟି ଭୋଟର ଆଜି ୧୩୧୪ ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ତେବେ ପ୍ରଥମ ପର୍ଯ୍ୟାୟ ମତଦାନରେ ମୋଟ ୪୫୩୪୧ଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ସେଗୁଡ଼ିକର ସୁରକ୍ଷା ଦୃଷ୍ଟିରୁ ପାଖାପାଖି ୪.୫ ଲକ୍ଷ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ମୋଟ ୩୭.୫ ମିଲିୟନ ୧୩ ହଜାର ୩୦୨ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏଥିରେ ୧୯.୮ ମିଲିୟନ ପୁରୁଷ, ୧୭.୬ ମିଲିୟନ ମହିଳା ଏବଂ ୭୫୮ ତୃତୀୟ ଲିଙ୍ଗ ଭୋଟର ଅନ୍ତର୍ଭୁକ୍ତ। ମୋଟ ୪୫୩୪୧ ବୁଥରେ ମତଦାନ ହେଉଛି। ଯେଉଁଥିରୁ ୪୫୩୨୪ ସାଧାରଣ ବୁଥ ଏବଂ ୧୩ ସହାୟକ ବୁଥ। କମିଶନ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଭୋଟର ସହାୟତା ଡେସ୍କର ବ୍ୟବସ୍ଥା କରିଛନ୍ତି, ଯେଉଁଠାରେ ଭୋଟର ତାଲିକା ସହିତ BLO ଉପସ୍ଥିତ ରହିବେ।

ପ୍ରଥମ ପର୍ଯ୍ୟାୟରେ ୧୦ଟି ହଟ ସିଟ ରହିଛି। ଏହା ସହିତ ଏହି ମତଦାନରେ ୨ ଜଣ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୂରୀ ଓ ବିଜୟ କୁମାର ସିହ୍ନାଙ୍କ ସମତେ ମୋଟ ୧୮ ଜଣ ମନ୍ତ୍ରୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ସେହିପରି ପ୍ରଥମ ପର୍ଯ୍ୟାୟରେ ଚର୍ଚ୍ଚିତ ଚେହେରା ମଧ୍ୟରେ ତେଜସ୍ୱୀ ଯାଦବ, ତେଜପ୍ରତାପ ଯାଦବ, ଅନନ୍ତ ସିଂହ, ମୈଥିଳି ଠାକୁର, ରିତେଶ ପାଣ୍ଡେ, ଭୋଜପୁରୀ ସିନେ ତାରକା ଖେସାରୀ ଲାଲ ଯାଦବ, ମହମ୍ମଦ ଶାହାବୁଦ୍ଦିନଙ୍କ ପୁଅ ଓସାମା ଶାହାବଙ୍କ ସମେତ ଅନେକ ବଡ଼ ଚେହେରା ମଧ୍ୟ ନିର୍ବାଚନ ମୈଦାନରେ ନିଜର ଭାଗ୍ୟ ପରୀକ୍ଷା ପାଇଁ ଓହ୍ଲାଇଛନ୍ତି।

ତେବେ ଆଜି ପ୍ରଥମ ପର୍ଯ୍ୟାୟରେ ପାଟନା, ବୈଶାଳୀ, ନାଳନ୍ଦା, ଦରଭଙ୍ଗା, ବକ୍ସର, ସାରଣ, ସିୱାନ, ସହରସା, ବେଗୁସରାଇ, ଗୋପାଳଗଞ୍ଜ, ସମସ୍ତୀପୁର, ମାଧେପୁରା, ମୁଙ୍ଗେର, ଲଖିସରାୟ, ଭୋଜପୁର, ମୁଜାଫରପୁର, ଖଗଡିଆ, ଶେଖପୁରା ଜଡିଲ୍ଲାରେ ମୋଟ ୧୨୧ଟି ବିଧାନସଭା ଆସନରେ ମତଦାନ ସଂଗ୍ରହ ହେଉଛି।

ଏଠାରେ କହି ରଖୁ କି ୧୩୧୪ଜଣ ଆଶାୟୀଙ୍କର ପ୍ରଥମ ପର୍ଯ୍ୟାୟରେ ଭାଗ୍ୟ ନିର୍ଦ୍ଧାରଣ ହେବ। ଜେଡିୟୁରୁ ୫୭ ଜଣ, ବିଜେପିର ୪୮, ଏଲଜେପିଆରର ୧୩, ଉପେନ୍ଦ୍ର କୁଶୱାଙ୍କର ଆରଏଲଏମ ଦଳର ୨ ଜଣ, ଜୀତନ ରାମ ମାଞ୍ଝୀଙ୍କର ଜଣେ, ଆରଜେଡ଼ିର ୭୨, କଂଗ୍ରେସର ୨୪, ସିପିଆଇଏମଏଲର ୧୪ ଜଣ, ଭିଆଇପି ଓ ସିପିଆଇରୁ ୬ ଜଣ ଲେଖାଏଁ, ସିପିଏଣର 3 ଜଣ, ଆଇପି ଗୁପ୍ତାଙ୍କର ଦଳ ଆଇପିପିରୁ ୨ ଜଣ ଆଶାୟୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି।