ନୂଆପଡ଼ା ଉପ ନିର୍ବାଚନ: ‘ବେଇମାନ’ ରାଜନୀତିରେ ହଜିଗଲା ‘ଦାଦନ’ ପ୍ରସଙ୍ଗ

ସତ୍ୟପ୍ରକାଶ ନାୟକ

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ଏବେ ଉଠୁଛି ପଡ଼ୁଛି ନୂଆପଡ଼ା। ପଶ୍ଚିମ ଓଡ଼ିଶାରେ ଶୀତର ମାତ୍ରା ବଢୁଥିବା ବେଳେ ରାଜନୈତିକ ପାରଦ ଏବେ ଉପରମୁହାଁ। ନୂଆପଡ଼ାରେ ଅଦିନିଆ ଅତିଥିଙ୍କ ଭିଡ଼। ସବୁ ଦଳର ନେତା ଏବେ ନୂଆପଡ଼ାରେ ଡେରା ପକାଇଛନ୍ତି। ସମୟ ଯେତିକି ଯେତିକି ବିତୁଛି ରାଜନୈତିକ ଆରୋପ ପ୍ରତ୍ୟାରୋପ ସେତିକି ବଢିବାରେ ଲାଗିଛି। ବିରୋଧି ଦଳର ନେତା ନବୀନ ପଟ୍ଟନାୟକଙ୍କ ‘ବେଇମାନ’ ଆରୋପକୁ ନେଇ ଏବେ ଶାସକ ବିରୋଧି କାଦୁଅ ଫିଙ୍ଗା ରାଜନୀତିରେ ବେଶ ବ୍ୟସ୍ତ। ନୂଆପଡ଼ାକୁ ରାଜନୈତିକ ତଥା ଗଣମାଧ୍ୟମ ପ୍ରତିନିଧିମାନଙ୍କର ଘନଘନ ଗସ୍ତ ସାମ୍ନାକୁ ଆସୁଥିଲେ ମଧ୍ୟ ମୌଳିକ ତଥା ଗୁରୁତର ସମସ୍ୟା ଗୁଡିକ ଏବେ ଆରୋପ ପ୍ରତ୍ୟାରୋପର ରାଜନୀତିର ଚାଦର ତଳେ ଲୁଚିବାକୁ ବସିଛି। ନିଜର ସ୍ୱାର୍ଥ ହେଉ ଅବା ରାଜନୈତିକ ଅଭିଷନ୍ଧି ଉଦ୍ଦେଶ୍ୟରେ ଏହି ଗୁରୁତର ସମସ୍ୟାଠାରୁ ଦୁରେଇ ରହିଛନ୍ତି ସମସ୍ତେ।

ପ୍ରସଙ୍ଗ ଉପରକୁ ଯିବା ପୂର୍ବରୁ ନୂଆପଡ଼ାର ଭୌଗୋଳିକ ସ୍ଥିତି ଉପରେ ନଜର ପକାଇ ନେବା। ନୂଆପଡ଼ା ହେଉଛି ଏକ ପଶ୍ଚିମ ଓଡ଼ିଶା ସୀମାବର୍ତ୍ତି ରାଜ୍ୟ। ନୁଆପଡା ଜିଲ୍ଲାର ସୀମା ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣରେ ଛତିଶଗଡ଼ର ରାୟପୁର ଜିଲ୍ଲା ସହିତ ଏବଂ ପୂର୍ବରେ ଓଡିଶାର ବରଗଡ଼, ବଲାଙ୍ଗିର ଏବଂ କଳାହାଣ୍ଡି ଜିଲ୍ଲା ସହିତ ସୀମା ମିଶିଛି। ଆଦିବାସୀ ବହୁଳ ଏହି ଜିଲ୍ଲାଟିରେ ପାଖାପାଖି ୬ ଲକ୍ଷ ୬ ହଜାର ୪୯୦ ଜଣ ବାସିନ୍ଦା ରହିଛନ୍ତି। ରାଜନୀତିର ଛକାପଞ୍ଝା ମଧ୍ୟରେ ଲୁଚି ଯାଇଛି ମୌଳିକ ତଥା ପ୍ରମୁଖ ସମସ୍ୟା। ଜଳସେଚନ, କୃଷି, ଦାଦନ, ସ୍ୱାସ୍ଥ୍ୟ ସମସ୍ୟା ଭଳି ଅନେକ ଗୁରୁତର ସମସ୍ୟା ରହିଥିବା ବେଳେ ଏହି ସମସ୍ତ ପ୍ରସଙ୍ଗଠାରୁ ବହୁତ ଦୁରରେ ରହିଛନ୍ତି ରାଜନୈତିକ ବ୍ୟକ୍ତିବିଶେଷ।

ପ୍ରଥମେ ନଜର ପକାଇବା ମୂଖ୍ୟ ସମସ୍ୟା ଦାଦନ ପ୍ରସଙ୍ଗ ଉପରେ। ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଦାଦନ ଅନ୍ୟ ରାଜ୍ୟକୁ ଯାଉଛନ୍ତି। କେହି କେହି ରୋଜଗାର କରି ଫେରୁଛନ୍ତି ଆଉ କେହି ଅଫେରା ରାଜ୍ୟକୁ ଚାଲିଯାଉଛନ୍ତି। ନିଜର ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗି ପଡ଼ୁଛନ୍ତି ବାପା ମା। ଜିଲ୍ଲାରେ ରୋଜଗାରର ବ୍ୟବସ୍ଥା ନଥିବାରୁ ପେଟପାଟଣା ପାଇଁ ଅନ୍ୟ ଦାଦନ ଯିବା ଏମାନଙ୍କର ଏକମାତ୍ର ବିକଳ୍ପ ରହିଛି। କିନ୍ତୁ ଏହି ସମସ୍ୟାର ସମାଧାନ ଦିଗରେ କୌଣସି ରାଜନେତା ଏପର୍ଯ୍ୟନ୍ତ ମୁହଁ ଖୋଲିଲେ ନାହିଁ। ଯଦି ତଥ୍ୟକୁ ଦେଖାଯାଏ ତେବେ ନୂଆପଡ଼ା ଜିଲ୍ଲାରୁ ପ୍ରାୟ ୭୦ରୁ ୮୦ ହଜାର ଦାଦନ ଭାବେ ଅନ୍ୟ ରାଜ୍ୟକୁ ଯାଇଥାଆନ୍ତି। ସେହିପରି କେବଳ ନୂଆପଡ଼ା ନିର୍ବାଚନ ମଣ୍ଡଳୀରୁ ୪୦ ରୁ ୫୦ ହଜାର ଦାଦନ ଭାବେ ଯାଇଥାଆନ୍ତି। କିନ୍ତୁ ଏମାନଙ୍କର ଏପର୍ଯ୍ୟନ୍ତ କୌଣସି ସରକାରୀ ପଞ୍ଜିକରଣ ବା ସରକାରୀ ଦସ୍ତାବିଜ ନଥିବା ଜଣାପଡ଼ିଛି। ଯାହା ଏମାନଙ୍କୁ ଆର୍ଥିକ ସହାୟତା, ସରକାରୀ ଯୋଜନାର ଫାଇଦା ମିଳିବା କଷ୍ଟକର ହୋଇପଡ଼ୁଛି। ସେପଟେ ରାଜନୈତିକ ପଶାପାଲି ଏହି ପ୍ରସଙ୍ଗ ସମ୍ପୂର୍ଣ୍ଣ ଭାବେ ହଜିଯାଇଛି। ଏହି ସମସ୍ୟାର ସମାଧାନ କିମ୍ବା ସମସ୍ୟା ଉପରେ ଆଲୋଚନା କରିବା ପ୍ରସଙ୍ଗ ଠାରୁ ଢେର ଦୂରରେ ରହିଛନ୍ତି ଶାସକ ଓ ବିରୋଧି। ଏପରିକି କୌଣସି ଗଣମାଧ୍ୟମର ପ୍ରତିନିଧି ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇନାହାନ୍ତି।

ସେହିପରି ନୂଆପଡ଼ାର ଚାଷକାର୍ଯ୍ୟ ଉପରକୁ ନଜର ପକାଇବା। ନୂଆପଡ଼ା କଳାହାଣ୍ଡି ଠାରୁ ୧୯୯୩ ମସିହାରୁ ଅଲଗା ହୋଇ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଛି। ପଡୋଶୀ କଳାହାଣ୍ଡି ଜିଲ୍ଲାକୁ ନବୀନ ବାବୁ ରାଜ୍ୟର ‘ଭାତହାଣ୍ଡି’ ଭାବେ ଗଢି ତୋଳିଛନ୍ତି। କିନ୍ତୁ ନୂଆପଡ଼ା ଆଜିର ସମୟରେ ତଥ୍ୟକୁ ଦେଖିଲେ ପାଖାପାଖି ୮୦ ପ୍ରତିଶତରୁ ଅଧିକ ଜମି ଅଣଜଳସେଚିତ ଅବସ୍ଥାରେ ରହିଛି। ମାତ୍ର ୧୦ରୁ ୨୦ ପ୍ରତିଶତ ଜମିକୁ ପାଣି ମିଳିଥାଏ। ସବୁଠାରୁ ବଡ଼ କଥା ହେଉଛି ନୂଆପଡ଼ା ଜିଲ୍ଲାକୁ ଜଳସେଚନ ପାଇଁ ସୁନ୍ଦର ଡ୍ୟାମ ରହିଛି। କିନ୍ତୁ ଅବହେଳିତ ଅବସ୍ଥାରେ ପଡ଼ି ରହି ତାହା କୌଣସି କାର୍ଯ୍ୟରେ ଆସୁନାହିଁ। ଫଳରେ ବର୍ଷ ବର୍ଷ ଧରି ଚାଷ ପାଇଁ ନୂଆପଡ଼ାର ଚାଷୀମାନେ ଜଳ ସଂକଟର ସାମ୍ନା କରିଆସୁଛନ୍ତି। ଚାଷ ଉପରେ ନିର୍ଭର କରୁଥିବା ଅଧିକାଂଶ ଲୋକେ ବର୍ଷାକୁ ଅପେକ୍ଷା କରୁଛନ୍ତି। ବର୍ଷା ହେଲେ ଜମିରେ ଧାନ ଫଳିବ, ନଚେତ ଚାଷୀ ମୃତ୍ୟୁ (ଅତୀତରେ ଏହି ବିକଳ ଚିତ୍ର ସାମ୍ନାକୁ ଆସିଥିବାର ଦେଖିବାକୁ ମିଳେ)ର ଚିତ୍ର ରାଜ୍ୟ ଦେଖିବ।

ଏଭଳି ସ୍ଥିତିରେ ୨୪ ବର୍ଷ ଧରି ଶାସନ ଗାଦିରେ ବସିଥିବା ବିଜୁଜନତା ଦଳ କିନ୍ତୁ ଏହି ପ୍ରସଙ୍ଗରେ ମୁଁହ ଖୋଲି ନିଜକୁ ବ୍ୟାକଫୁଟକୁ ନେବାକୁ ଚାହିଁବ ନାହିଁ। ଆଉ ବର୍ତ୍ତମାନ ସ୍ଥିତିରେ ଶାସକ ବିଜେପି ପ୍ରସଙ୍ଗ ଉଠାଇ ‘ବୋଝ ଉପରେ ନଳିତା ବିଡା’ ଭଳି ଆଉ ଏକ ସମସ୍ୟାକୁ ମୁଣ୍ଡାଇବାକୁ ଚାହିଁବନାହିଁ।

ପଶ୍ଚିମ ଓଡ଼ିଶାର ଏହି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ମଧ୍ୟ ଉତ୍କଟ ସ୍ଥିତିରେ ରହିଛି। ଜିଲ୍ଲା ମୁଖ୍ୟାଳୟ ହେଉ ଅବା ସରକାରୀ ଡାକ୍ତରଖାନା ଅବସ୍ଥା ନ କହିବା ଭଲ। କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ସିଧା ରାୟପୁର କିମ୍ବା ବିଶାଖାପାଟଣା ନେବାକୁ ହୁଏ। ଏପରିକି ସ୍ୱର୍ଗତ ଢୋଲକିଆଙ୍କର ସ୍ୱାସ୍ଥ୍ୟ ସଂକଟ ପାଇଁ ଭୁବନେଶ୍ୱରକୁ ଆସିବାକୁ ପଡିଥିଲା। ସରକାରୀ ତଥ୍ୟକୁ ଦେଖିଲେ ମୁଣ୍ଡ ବିନ୍ଧାଇବା ସୁନିଶ୍ଚିତ। ତଥ୍ୟ ଅନୁସାରେ ଏବେ ବି ଜିଲ୍ଲାରେ ୪୦ ପ୍ରତିଶତରୁ ଅଧିକ ଡାକ୍ତରନାହାନ୍ତି। ପାରାମେଡିକାଲ ଷ୍ଟାଫଙ୍କ ସଂକଟ। ଅଧିକାଂଶ ସ୍ଥାନରେ କମ୍ପାଉଣ୍ଡରଙ୍କ ଭରସାରେ ଚାଲୁଛି ଡାକ୍ତରଖାନା। ତ୍ୱରିତ ଚିକିତ୍ସା ପାଇଁ ବିଷମ କଟକ କିମ୍ବା ଖରିଆର ଡାକ୍ତରଖାନା ସାହା ପାଲଟିଛି। ଏଭଳି ବିକଳ ଚିତ୍ର ‘ବେଇମାନ’ ରାଜନୀତି ଆଗରେ ଫିକା ପଡ଼ିଛି। ଏ ପ୍ରସଙ୍ଗ ଏବେ ଏହା ରଙ୍ଗହୀନ ହୋଇଡ଼ିଛି ରାଜନୈତିକ ଦଳ ପାଇଁ।

କେବଳ ଏତିକି ନୁହେଁ ନାହିଁ ନାହିଁର ଜିଲ୍ଲା ହେଉଛି ନୂଆପଡ଼ା। ଗୋଟି ଗୋଟି କରି ସମସ୍ୟାକୁ ଯଦି ଗଣାଯାଏ ହୁଏତ ଉପସ୍ଥାପନ କରିବା ମଧ୍ୟ ଅସମ୍ଭବ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନର ଅଭାବ ବୁଢିଆଣୀ ଜାଲରେ ଛନ୍ଦି ହୋଇ ବଞ୍ଚିବା ଶିଖିଛନ୍ତି ନୂଆପଡ଼ା ବାସୀ। କିନ୍ତୁ ଅଦିନିଆ ରାଜନେତାଙ୍କ ପାଇଁ ବର୍ତ୍ତମାନ ସ୍ଥିତିରେ ଏସବୁ ଏକ ପାଣିଚିଆ ପ୍ରସଙ୍ଗ ପାଲଟିଛି, ଯାହାକୁ ନେଇ ମୁଁହ ଖୋଲୁନାହାନ୍ତି। ସମସ୍ୟାକୁ ଆଦରି ନେଇ ବଞ୍ଚୁଥିବା ନୂଆପଡ଼ାବାସୀଙ୍କ ଉପରେ ଏହି ପ୍ରଚାର ତଥା ବୟାନବାଜୀ କେତେ ପ୍ରଭାବ ପକାଇବା ତାହା ଭବିଷ୍ୟତ କହିବ।

Related Posts