ମାନ୍ୟତା ପାଇବାର ୧୨ ବର୍ଷ ବିତିଲାଣି କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ କବ୍‌ଜାରେ ଆର୍‌ଏମ୍‌ସି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାନ୍ୟତା ପାଇବାର ୧୨ ବର୍ଷ ବିତିଲାଣି କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ କବ୍‌ଜାରେ ଆର୍‌ଏମ୍‌ସି । ତେବେ୨୦୧୪ ମସିହା ନଭେମ୍ବର ୧୪ ତାରିଖ। ଉକ୍ତଦିନ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ମାନ୍ୟତା ପାଇଥିଲା। ମାନ୍ୟତା ପାଇବାର ଇତିମଧ୍ୟରେ ୧୨ ବର୍ଷ ବିତିଲାଣି। କିନ୍ତୁ ଏଯାଏ ଆର୍‌ଏମ୍‌ସି ନିର୍ବାଚନ ହୋଇପାରିଲାନି। ସ୍ଥାନୀୟ କିଛି ସଂଗଠନର ବିରୋଧ ଯୋଗୁ ମାମଲା ଉଚ୍ଚନ୍ୟାୟାଳୟରେ ପଡ଼ିରହିଛି। ତେବେ ନିର୍ବାଚନ ଆୟୋଜନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନି। ଫଳରେ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟହେଲା ଜନସାଧାରଣଙ୍କ ସ୍ବର ଆର୍‌ଏମ୍‌ସିରେ ପହଞ୍ଚିପାରୁନି। ପ୍ରଶାସନିକ ଅଧିକାରୀଙ୍କ କବ୍‌ଜାରେ ଆର୍‌ଏମ୍‌ସି ରହିଥିବାରୁ ଜନସାଧାରଣ ମୌଳିକ ସେବା ପାଇବାରୁ ବଞ୍ଚିତ।

ସେପଟେ ୨୦୦୮ ମସିହାରେ ଶେଷଥର ପାଇଁ ତତ୍କାଳୀନ ରାଉରକେଲା ପୌରପାଳିକା ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଏହାର ଅବଧି ୨୦୧୩ ଅଗଷ୍ଟ ମାସରେ ଶେଷ ହୋଇଥିଲା। ଏହାର ପ୍ରାୟ ବର୍ଷକପରେ ରାଉରକେଲା ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଥିଲା ସତ; କିନ୍ତୁ ଏହାର ପୂର୍ଣ୍ଣ ସେବା ପାଇପାରୁନାହାନ୍ତି ନିଗମବାସୀ। ନିର୍ବାଚନ ନ ହେବାର ମୁଖ୍ୟ କାରଣ ହେଉଛି ମାମଲା ଉଚ୍ଚନ୍ୟାୟାଳୟରେ ପଡ଼ିରହିବା। ଗତ ୨୦୧୪ ମସିହାରେ ମହାନଗର ନିଗମ ଘୋଷଣା ହେବାପରେ ଏଥିରେ ଜଗଦା ଓ ଝାଡ଼ତରଙ୍ଗର କିଛି ଅଂଶକୁ ମିଶ୍ରଣ କରାଯାଇଥିଲା। ତେବେ ପ୍ରଶାସନର ଏହି ନିଷ୍ପତ୍ତିକୁ ସ୍ଥାନୀୟ ଆଦିବାସୀ ସଂଗଠନ ପ୍ରତିବାଦ କରିବାସହ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଯଦ୍ବାର ୨୦୧୫ ମାର୍ଚ୍ଚ ମସିହାରେ ଉଚ୍ଚନ୍ୟାୟାଳୟ ଏହା ଉପରେ ସ୍ଥଗିତାଦେଶ ଜାରି କରିଥି‌ଲେ, ଯାହାକି ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି। ଅବଶ୍ୟ, ଏହାପରେ ନିଗମର ୱାର୍ଡ ସଂଖ୍ୟା ୩୩ରୁ ୪୦କୁ ବୃଦ୍ଧି କରାଯାଇଛି।

ନିର୍ବାଚନ ଆୟୋଜନ ପାଇଁ ରାଉରକେଲା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ନିହାର ରାୟ ଗତ ୨୦୨୧ ମସିହାରେ ଓଡ଼ିଶା ହାଇକୋର୍ଟ୍‌ରେ ଏକ ରିଟ୍ ପିଟିସନ୍ ଦାୟର କରିଥିଲେ। ତୁରନ୍ତ ନିର୍ବାଚନ ଆୟୋଜନ ପାଇଁ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ନ୍ୟାୟାଳୟ ପକ୍ଷରୁ ତତ୍କାଳୀନ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଡ଼ମ୍ବନା, ଏଯାଏ ରାଜ୍ୟ ସରକାର ପକ୍ଷ ରଖୁନାହାନ୍ତି କିମ୍ବା ମାମଲା ଉଚ୍ଛେଦ ପାଇଁ ପଦକ୍ଷେପ ନେଉନାହାନ୍ତି। ଏମିତିକି ୨୦୨୪ ବିଧାନସଭା ନିର୍ବାଚନ ସମୟରେ ଆର୍‌ଏମ୍‌ସି ନିର୍ବାଚନ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ପ୍ରାୟ ସବୁ ଦଳର ପ୍ରାର୍ଥୀ ଏହି ପ୍ରସଙ୍ଗରେ ଭୋଟ୍‌ ଭିକ୍ଷା କରିଥିଲେ। ସଂପ୍ରତି ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି।

Related Posts