ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ସୋମବାର ସକାଳେ ପାଟନାରୁ ଯାତ୍ରା କରିବେ ଏବଂ ପୂର୍ବାହ୍ନ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବେ। ଏହା ପରେ, ସେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ‘ମାଣ୍ଡିଆ ଦିବସ (ମିଲେଟ୍‌ ଡେ’)’ କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଯୋଗଦେବେ। ଏହି ଅବସରରେ, ସେ ଓଡ଼ିଶା ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ମିଲେଟ୍ସ (ଶ୍ରୀ ଅନ୍ନ) ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ଉପଯୋଗକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ବିଷୟରେ ବକ୍ତବ୍ୟ ରଖିବେ। ଏହି କାର୍ଯ୍ୟକ୍ରମରେ କୃଷକଙ୍କ ଆୟ ବୃଦ୍ଧି ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ଉପକରଣ ଭାବରେ ଶ୍ରୀଅନ୍ନକୁ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା ମଧ୍ୟ କରାଯିବ। ସେପଟେ ଉଦଘାଟନ ପରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କଟକ ଜିଲ୍ଲାର ସଦର ଅଞ୍ଚଳ ଗସ୍ତ କରିବେ, ଯେଉଁଠାରେ ସେ କୃଷି କ୍ଷେତ୍ର ପରିଦର୍ଶନ କରିବେ ଏବଂ ଚାଷୀଙ୍କ ସହିତ ସିଧାସଳଖ ଆଲୋଚନା କରିବେ।

କେନ୍ଦ୍ର ମନ୍ତ୍ରୀ ଚାଷୀମାନଙ୍କ ଅଭିଜ୍ଞତା ଶୁଣିବେ, ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଜାଣିବେ ଏବଂ କୃଷି ନୀତି ସମ୍ପର୍କରେ ସେମାନଙ୍କର ମତାମତ ସଂଗ୍ରହ କରିବେ। ଏହି ଆଲୋଚନା ସମୟରେ, ସେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କୃଷି କାର୍ଯ୍ୟକ୍ରମର ସ୍ଥିତି ତୃଣମୂଳସ୍ତରରେ କିଭଳି ରହିଛି ତାହାର ମୂଲ୍ୟାଙ୍କନ କରିବେ ଏବଂ ଏହାର ପ୍ରଭାବ ସମୀକ୍ଷା କରିବେ। ଅପରାହ୍ନରେ, କେନ୍ଦ୍ର କୃଷି ମନ୍ତ୍ରୀ କଟକର ବିଦ୍ୟାଧରପୁରରେ ଆଇସିଏଆର – କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ (ସିଆରଆରଆଇ)ରେ ଏକ ମିଳିତ ରଣନୀତିକ ବୈଠକରେ ଯୋଗଦେବେ।

Related Posts