ବିସ୍ଫୋରଣରେ ମୃତ ବସ କଣ୍ଡକ୍ଟର ଥିଲେ ପରିବାରର ଏକମାତ୍ର ରୋଜଗାରିଆ ଲୋକ, ଘରେ ମା-ବାପା, ୪ ଛୁଆ ଓ ବିଧବା ପତ୍ନୀ

ନୂଆଦିଲ୍ଲୀ: ସବୁଦିନ ଭଳି ସୋମବାର ମଧ୍ୟ ଦିଲ୍ଲୀ ଥିଲା ସ୍ୱଭାବିକ। ନିଜ କର୍ମରେ ସମସ୍ତେ ବ୍ୟସ୍ତ ଥିଲେ। ସବୁଦିନ ଭଳି ବେଶ ଚଳଚଞ୍ଚଳ ଥିଲା ବ୍ୟସ୍ତବହୁଳ ଲାଲକିଲ୍ଲା ଓ ଏହାର ପାଖରେ ଥିବା ଚାନ୍ଦିନୀଚୌକ ଅଞ୍ଚଳ। କିନ୍ତୁ ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣ ଅନେକଙ୍କ ପାଇଁ ଆଣିଦେଇଥିଲା କାଳରାତ୍ରୀ। ଏହି ଶକ୍ତିଶାଳୀ ବିସ୍ଫୋରଣ ଲୋକଙ୍କ ମଧ୍ୟରେ ଆତଙ୍କର ପରିବେଶ ସୃଷ୍ଟି କରିଛି। ଏହି ବିସ୍ଫୋରଣ ଅନେକ ପରିବାରକୁ ଉଜାଡ଼ି ଦେଇଛି। ସେହି ପୀଡିତମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଉତ୍ତର ପ୍ରଦେଶର ଆମରୋହାର ବାସିନ୍ଦା ଅଶୋକ କୁମାର, ଯିଏ ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି।

ସୋମବାର ସନ୍ଧ୍ୟାରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ଦିଲ୍ଲୀରେ ବସ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିବା ଉତ୍ତରପ୍ରଦେଶ ଅମରୋହାର ଅଶୋକ କୁମାରଙ୍କର ଦେହାନ୍ତ ହୋଇଯାଇଛି। ଅଶୋକ କୁମାର ଥିଲେ ପରିବାରର ଏକମାତ୍ର ରୋଜଗାରିଆ ପୁଅ। ତାଙ୍କ ଉପରେ ପରିବାରର ୮ ଜଣ ସଦସ୍ୟ ନିର୍ଭରଶୀଳ ଥିଲେ। ଅଶୋକଙ୍କ ମୃତ୍ୟୁରେ ପୁରା ଅମରୋହାରେ ଶୋକର ବାତାବରଣ ଖେଳିଯାଇଛି।

ଘଟଣାଟି ଏହିପରି। ସବୁଦିନ ଭଳି ଅଶୋକ ନିଜ କାମରେ ସୋମବାର ମଧ୍ୟ ବାହାରିଯାଇଥିଲେ। ଦିଲ୍ଲୀ ଟ୍ରାନସପୋର୍ଟ କର୍ପୋରେସନରେ ଅଶୋକ ବସ କଣ୍ଡକ୍ଟର ଭାବେ କାର୍ଯ୍ୟ କରନ୍ତି। ବିଶେଷ କରି ତାଙ୍କର ଡ୍ୟୁଟି କ୍ଲଷ୍ଟର ବସରେ ରହିଥାଏ। ଯାହା ପୁରୁଣା ଦିଲ୍ଲୀ ରୁଟରେ ଚଳାଚଳ କରିଥାଏ। ବିସ୍ଫୋରଣ ସମୟରେ ସେ ଲାଲକିଲ୍ଲା ନିକଟରେ ରହିଥିଲେ। ଏହି ବିସ୍ଫୋରଣରେ ତାଙ୍କର ଦେହାନ୍ତ ହୋଇଯାଇଛି।

ଦିଲ୍ଲୀ ବିସ୍ଫୋରଣ ପୀଡିତଙ୍କ ତାଲିକାରେ ଅଶୋକଙ୍କ ପରିବାରର ସଦସ୍ୟ ପପୁ ତାଙ୍କ ନାମ ଦେଖିବାକୁ ପାଇଥିଲା। ଯାହା ପରେ ପୁରା ପରିବାରରେ ଭୟର ବାତାବରଣ ଖେଳିଯାଇଥିଲା। LNJP ହସ୍ପିଟାଲ ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରିବା ବେଳେ ପପୁ କହିଥିଲେ, “ମୁଁ ମୃତାହତଙ୍କ ତାଲିକାରେ ଅଶୋକଙ୍କ ନାମ ପଢିଥିଲି। ସେ ମୋର ଭାଇ। ମୁଁ ସ୍ପଷ୍ଟ ହେବା ପାଇଁ ଫୋନ୍ କରିଥିଲି। ତାଙ୍କ ବାଇକ୍ ଏପର୍ଯ୍ୟନ୍ତ ମିଳିନାହିଁ।” ପପୁ କୁହନ୍ତି ଯେ ବିସ୍ଫୋରଣ ସମୟରେ ଅଶୋକ ଡ୍ୟୁଟିରୁ ଫେରୁଥିଲେ କିମ୍ବା କୌଣସି ସ୍ଥାନକୁ ଯାତ୍ରା କରୁଥିଲେ, କାରଣ ଏହି ରାସ୍ତା ତାଙ୍କ ଦୈନନ୍ଦିନ ଯାତ୍ରାର ରାସ୍ତା ରହିଥିଲା ବୋଲି ପପୁ କହିଛନ୍ତି।

ପପୁ କହିଛନ୍ତି ଯେ ତାଙ୍କ ଭାଇଙ୍କ ସ୍ତ୍ରୀ ଏବଂ ଚାରି ପିଲା ତିନି ଝିଅ ଏବଂ ଗୋଟିଏ ପୁଅ ରହିଛନ୍ତି। ଏହା ସହିତ ଦିଲ୍ଲୀର ଜଗତପୁରରେ ସେ ରହୁଥିଲେ। ଯାହା ବିସ୍ଫୋରଣ ସ୍ଥାନରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ। ତାଙ୍କ ମାଆ ସୋମବତୀ ତାଙ୍କ ବଡ଼ ପୁଅ ସୁଭାଷଙ୍କ ସହ ଗାଁରେ ରୁହନ୍ତି। ସୁଭାଷ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ଅଶୋକ ଏକାକୀ ପରିବାରର ଯତ୍ନ ନେଉଥିଲେ। ସେ ଦିନରେ କଣ୍ଡକ୍ଟର ଏବଂ ରାତିରେ ସୁରକ୍ଷା କର୍ମୀ ଭାବରେ କାମ କରୁଥିଲେ। ତାଙ୍କ ପିଲାମାନଙ୍କ ପାଇଁ ଏକ ଭଲ ଭବିଷ୍ୟତ ଗଢିବା ପାଇଁ ଅଶୋକ ପ୍ରୟାସ କରି ଆସୁଥିଲେ।

LNJP ହସ୍ପିଟାଲ ବାହାରର ପରିବେଶ ଭୟଙ୍କର ଥିଲା। ବିସ୍ଫୋରଣରେ ପୀଡିତ ପରିବାର ଲୋକେ ସେମାନଙ୍କ ନିଖୋଜ ସମ୍ପର୍କୀୟଙ୍କୁ ଖୋଜିବା ପାଇଁ ଏଣେତେଣେ ବୁଲୁଛନ୍ତି। ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ଲୋକେଶ କୁମାର ଗୁପ୍ତାକୁ ଖୋଜିବାକୁ ଆସି ପହଞ୍ଚିଥିଲେ। ଗଣମାଧ୍ୟମ ସହିତ ଆଲୋଚନା କରିବା ସମୟରେ ସେ କହିଥିଲେ କି ଅଶୋକ କୁମାର ତାଙ୍କୁ ଚାନ୍ଦିନୀ ଚୌକ ମେଟ୍ରୋ ଷ୍ଟେସନରୁ ତାଙ୍କୁ ନେବାର ଥିଲା। କିନ୍ତୁ ଭଗବାନ ଏହା ଚାହୁଁନଥିଲେ। ଅଶୋକଙ୍କ ବିସ୍ଫୋରଣରେ ମୃତ୍ୟୁ ହୋଇ ସାରିଛି। ଲୋକେଶଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳୁନାହିଁ ବୋଲି ସେ କହିଥିଲେ।

Related Posts