ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ନୂଆପଡ଼ା ଉପନିର୍ବାଚନରେ ୮୧.୯୪ ପ୍ରତିଶତ ମତଦାନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍, ଗୋପାଳନ୍। ଗତକାଲି ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ଶାନ୍ତିପୂର୍ଣ୍ଣ ମତଦାନ ଶେଷ ହୋଇଥିଲା। ଏଠାରେ ୭୯.୦୨ ପ୍ରତିଶତ ମତଦାନ ହୋଇଥିବା କୁହାଯାଇଥିଲା।
୨୦୨୪ ସାଧାରଣ ନିର୍ବାଚନ ତୁଳନାରେ ଭୋଟ୍ ହାର ବଢ଼ିଛି। ମଙ୍ଗଳବାର ମତଦାନ ଆରମ୍ଭ ପୂର୍ବରୁ ସକାଳ ୭ଟାରୁ କରାଯାଇଥିବା ମକ୍ ପୋଲ୍ ସମୟରେ ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିଥିଲା। ଫଳରେ ତିନିଟି ବାଲଟ୍ ୟୁନିଟ୍, ତିନିଟି କଣ୍ଟ୍ରୋଲ ୟୁନିଟ୍କୁ ତୁରନ୍ତ ବଦଳା ଯାଇଥିଲା। ସେହିପରି ଖରିଆର ରୋଡ୍ ଏନ୍ଏସି ମଙ୍ଗରାପାଲି ବୁଥ୍ ନମ୍ବର ୭୬ରେ ରିପୋର୍ଟ ହୋଇଥିବା ଇଭିଏମ୍ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା। ନୂଆପଡ଼ା ଓ କୋମନା ବ୍ଲକ୍ର କିଛି ବୁଥ୍ରେ ରାତି ୭ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା।





