ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଟ୍ରମ୍ପଙ୍କ ଧମକକୁ ଇରାନର ବେଖାତିର। ଗଲ୍ଫ ସହର ଏବେ ପାଲଟିଛି ରଣକ୍ଷେତ୍ର । ତେବେ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆଜି ପୁଣି ଚରମବାଣୀ ଶୁଣାଇବା ପରେ ଇରାନ ଉପସାଗରୀୟ ରାଷ୍ଟ୍ରମାନଙ୍କର ପ୍ରମୁଖ ସହରକୁ ରଣକ୍ଷେତ୍ରରେ ପରିଣତ କରିଛି। ହର୍ମୁଜ୍ ସୋମବାର ସୁଦ୍ଧା ନ ଖୋଲିଲେ ଇରାନ ନିଜର ଜାତୀୟ ଭିତ୍ତିଭୂମିର ବିନାଶ ପାଇଁ ପ୍ରସ୍ତୁତ ରହିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ୪୮ ଘଣ୍ଟିଆ ସମୟସୀମାକୁ ଇରାନ ଆନୁଷ୍ଠାନିକ ଭାବେ ପ୍ରତ୍ୟାଖ୍ୟାନ କରିଛି। ଇରାନର ଜଣେ ବରିଷ୍ଠ ଜେନେରାଲ ଅଲ୍ଲୀ ଅବଦୁଲ୍ଲାହି ଅଲିଆବାଦୀ ଏହି ଧମକକୁ ଏକ ଅସହାୟ, ଉତ୍ତେଜନାପୂର୍ଣ୍ଣ ଏବଂ ନିର୍ବୋଧ କାର୍ଯ୍ୟ କହି ପରିହାସ କରିଛନ୍ତି। ଯଦି ଇରାନ ମାଟିରେ ଆକ୍ରମଣ ଜାରି ରହେ, ତେବେ ଆମେରିକୀୟ ସେନା ପାଇଁ ନର୍କର ଦ୍ୱାର ଖୋଲିଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।