ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ SIR ପ୍ରକ୍ରିୟା କୁ ନେଇ ଅଭିଯୋଗ କରିଥିବାର ଦେଖିବାକୁ ମିଳିଛି । ତେବେ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଏସ୍‌ଆଇଆର ( ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରକ୍ରିୟାରେ ମତୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରମାନଙ୍କୁ ଜାଣିଶୁଣି କାଟି ଦିଆଯାଇଛି । ନଦିଆ ଜିଲ୍ଲାର ଚକଦାହାରେ ଏକ ରାଲିରେ ଉଦ୍‌ବୋଧନ ଦେଇ ମମତା କହିଛନ୍ତି, ଯେଉଁ ଭୋଟରମାନଙ୍କ ନାଁ କଟାଯାଇଛି ତାଙ୍କ ଦଳ ତୃଣମୂଳ କଂଗ୍ରେସ ସେମାନଙ୍କୁ ସମର୍ଥନ କରିବ। ମମତା କହିଛନ୍ତି, କେନ୍ଦ୍ର ସରକାର ପକ୍ଷପାତ କରୁଛନ୍ତି ଏବଂ ସ୍ବତନ୍ତ୍ର ଭାବେ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ୍‌ କରି ଭୋଟର ତାଲିକାରୁ ନାଁ କାଟି ଦେଉଛନ୍ତି। ମମତା କହିଛନ୍ତି, ଏହି ପକ୍ଷପାତ କ’ଣ ପାଇଁ। ଆପଣ ମତୁଆ, ରାଜବଂଶୀ ଏବଂ ସଂଖ୍ୟାଲଘୁଙ୍କୁ ବାଦ୍‌ ଦେଉଛନ୍ତି । ଆପଣ କ’ଣ ଭାବୁଛନ୍ତି ଲୋକ ଏହା ବୁଝିପାରୁନାହାନ୍ତି । ମମତା ମଧ୍ୟ ଦାବି କରିଛନ୍ତି ଯେ ମୁର୍ଶିଦାବାଦ, ମାଲଦା ଏବଂ ଉତ୍ତର ଦିନାଜପୁର ଯେଉଁଠାରେ ସଂଖ୍ୟାଲଘୁ ଜନସଂଖ୍ୟା ଅଧିକ ସେଠାରେ ନାଁ ଗୁଡ଼ିକୁ ତାଲିକାରୁ ଉକୁଣି ପରି ବାଛି କାଟି ଦିଆଯାଇଛି। ସେପଟେ ନିର୍ବାଚନ କମିସନ୍‌ ତଥ୍ୟ ଅନୁଯାୟୀ ଚୂଡ଼ାନ୍ତ ଭୋଟର ତାଲିକାରୁ ପାଖାପାଖି ୯୧ ଲକ୍ଷ ନାଁ କଟାଯାଇଛି।