ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୪୮ବର୍ଷ ପରେ ଗଣତିମଣତି ହେବାକୁ ଯାଉଛି ଭିତର ରତ୍ନଭଣ୍ଡାର । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି ପ୍ରକ୍ରିୟାର ରୂପରେଖ ପ୍ରସ୍ତୁତ କରାଯାଇଛି । ଆହୁରି ଅଧିକ ସତର୍କତା ଅବଲମ୍ବନ କରାଯାଇ ଏହି ପ୍ରକ୍ରିୟା ଶେଷ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଟ୍ରେଜେରିରୁ ଚାବି ଆସିବା ପରେ ଭିତର ରତ୍ନଭଣ୍ଡାର ଦ୍ବାର ଖୋଲାଯିବ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାବି ଅଣାଯିବା ସହ ଟ୍ରେଜେରିରେ ଜମା ରଖାଯିବ । ପ୍ରତ୍ୟେକ ଗଣତି ଦିନ ଏହି ଚାବି ଟ୍ରେଜେରିରୁ ଆସିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍ଓପି ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ। ଆଜିର ବୈଠକରେ ଆଭାସୀ ଯୋଗେ ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ଯୋଗଦେଇ ଥିଲେ। ପୁରୀ ଜିଲ୍ଲାପାଳ, ଏସ୍ପି, ହ୍ୟାଣ୍ଡେଲିଂ ଓ ସୁପରଭାଇଜିଂ କମିଟିର ସଦସ୍ୟ ଉପସ୍ଥିତ ଥିଲେ। ତେବେ ଗତକାଲି ଜଷ୍ଟିସ୍ ରଥ ବାହାର ଭଣ୍ଡାରରୁ ୩ଟି ରତ୍ନ ଆଇଟମ୍ ଗାଏବ ଥିବା ଗଣମାଧ୍ୟମକୁ କହିଥିଲେ। କିନ୍ତୁ ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ଏହାକୁ ଗୁଜବ ବୋଲି କହିଛନ୍ତି। ଭିତର ଭଣ୍ଡାରରେ ୩୬୭ ପ୍ରକାରର ସୁନା ଅଳଙ୍କାର ଥିଲା। ଏହାର ଓଜନ ଥିଲା ୪୩୬୪ ଭରି। ଏଥିସହ ୨୩୧ ପ୍ରକାରର ରୁପା ଅଳଙ୍କାର ରହିଥିଲା। ଏହାର ଓଜନ ଥିଲା ୧୪,୮୭୮ ଭରି ୬ ଅଣା। ଯଦିଓ ଏଥର ଓଜନ ମାପ କରାଯିବ ନାହିଁ ତଥାପି ଆଇଟମ୍ ଅନୁସାରେ ମେଳକ କରାଯାଇ ପୁନଃ ତାଲିକା କରାଯିବ।
