କଳାଜଗତକୁ ଶକ୍ତ ଧକ୍କା; ଚାଲିଗଲେ ହ୍ୟୁମାନ

ଭୁବନେଶ୍ୱର: ଓଡ଼ିଶା ସିନେ ଜଗତକୁ ସୁପରହିଟ ଗୀତ ଭେଟିଦେଇଥିବା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଆଉ ନାହାନ୍ତି। ଚିକିତ୍ସାଧିନ ଅବସ୍ଥାରେ ଆଜି ରାତି ପ୍ରାୟ ୯ଟା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି। କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା । ଲିଭର୍‌ ଓ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ ହ୍ୟୁମାନ । ସେ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ । ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଥିଲା । ଡାକ୍ତରଙ୍କ ସତଚେଷ୍ଟା ପରେ ବି ହ୍ୟୁମାନ୍‌ଙ୍କର ଆଜି ଦେହାନ୍ତ ହୋଇଛି ।

ନିଜର ସୁପରହିଟ ଗୀତ ବଳରେ ରାଜ୍ୟର ଘରେ ଘରେ ସେ ପରିଚିତ ଥିଲେ। ଏଠାରେ କହି ରଖୁ କି ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଶୁକ୍ରବାର ଅପରାହ୍ନରେ ଏମ୍ସ-ଭୁବନେଶ୍ୱରରେ ଭର୍ତ୍ତି କରାଯାଇଥିଲା। ଯାହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଗୁରୁତର ହୋଇ ପଡ଼ିଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ଗୋଟିଏ ଦିନ ପରେ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଯାଇଥିଲା। କିନ୍ତୁ ତାଙ୍କ ପତ୍ନୀ ସୋମବାର ଦିନ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ଯେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ଏବଂ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏୟାରଲିଫ୍ଟରେ ଏମ୍ସ-ଦିଲ୍ଲୀକୁ ସ୍ଥାନାନ୍ତର କରାଯିବା ଭଳି କୌଣସି ସ୍ଥିତି ନାହିଁ ବୋଲି ତାଙ୍କ ପତ୍ନୀ ଆଜି ସୂଚନା ଦେଇଥିଲେ।

ସେପଟେ ହ୍ୟୁମାନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି କି ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Related Posts