ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ଜନ୍ମ ନେଲା ଆଉ ଏକ ଆଞ୍ଚଳିକ ଦଳ । ଯୋଗ ଦେଲେ କଂଗ୍ରେସରୁ ନିଲମ୍ବିତ ବିଧାୟିକ ସୋଫିଆ ଫିର୍ଦୋଷ । ତେବେ ବିଶାଳ ସମାବେଶ କରି ଓଡ଼ିଶା ଜନତା କଂଗ୍ରେସ ଦଳର ଶୁଭାରମ୍ଭ କରିଛନ୍ତି ପ୍ରତିଷ୍ଠାତା ମହମ୍ମଦ ମୋକିମ । ଉଭୟ ଶାସକ ଓ ବିରୋଧୀ ଦଳଙ୍କୁ ଟାର୍ଗେଟ କରିବା ସହ ପୌର ଓ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି । ଆଜିର ସମାବେଶରେ ଯୋଗ ଦେଇ ପୁଣି ଚର୍ଚ୍ଚା ବଢ଼ାଇଛନ୍ତି କଂଗ୍ରେସରୁ ନିଲମ୍ବିତ ବିଧାୟିକ ସୋଫିଆ ଫର୍ଦୋଷ । ସେପଟେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବିଶାଳ ସମାବେଶର ଆୟୋଜନ କରି ଓଡ଼ିଆଙ୍କ ପାଇଁ ଓଡ଼ିଶା ନାରା ଦେଇ ଅଭିଯାନ ଆରମ୍ଭ କରିଛନ୍ତି । ବହୁ ସମାଜସେବୀ, ସୂଚନା ଅଧିକାର କର୍ମୀ, ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ହଜାର ହଜାର ଯୁବବର୍ଗ ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସଭାମଞ୍ଚରୁ ରଣହୁଙ୍କାର ଦେଇ ମୋକିମ କହିଛନ୍ତି ଓଡ଼ିଆଙ୍କ ହକ୍ ପାଇଁ ଲଢ଼ିବ ‘ଓଡ଼ିଶା ଜନତା କଂଗ୍ରେସ’ । ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି । ଉଭୟ ଶାସକ ଓ ବିରୋଧୀ ଦଳ ଉପରେ ବର୍ଷିଛନ୍ତି । ଓଡ଼ିଶା ଜନତା କଂଗ୍ରେସ ଦଳ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ମଞ୍ଚ ଉପରକୁ ଯାଇ ବାପା ମହମ୍ମଦ ମୋକିମଙ୍କୁ ସହଯୋଗ କରିବାକୁ ଆସିଛନ୍ତି ବୋଲି କହିଥିଲେ । କଂଗ୍ରେସରୁ ନିଲମ୍ବନ ହେବା ପରେ ସୋଫିଆଙ୍କ ଭୂମିକା କଣ ରହି ସେ ନେଇ ଜୋର ଧରିଥିଲା ଚର୍ଚ୍ଚା ।