ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ଠାରୁ ଓଡ଼ିଶା ସମେତ ୮ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା‌। ତେବେ ଏପ୍ରିଲ ୧୬ରୁ ମେ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଜନଗଣନା କାର୍ଯ୍ୟକୁ ଠିକ୍ ଭାବେ ପରିଚାଳନା କରିବା ପାଇଁ ୯୦,୨୦୦ ଜଣ ଜନଗଣନା ଅଧିକାରୀ ଏବଂ ୧୫,୧୪୦ ଜଣ ସୁପରଭାଇଜର ନିଯୁକ୍ତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଘର ଗଣତି ସହ ନମ୍ବରିଂ ଏବଂ ଘରର ମୁଖ୍ୟଙ୍କ ସବିଶେଷ ତଥ୍ୟ ସଂଗ୍ରହ କରାଯିବ। ଜନଗଣନା ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ, ପ୍ରତି ଜନଗଣନା ଅଧିକାରୀଙ୍କୁ ୮୦୦ ଲୋକଙ୍କ ତଥ୍ୟ ସଂଗ୍ରହ କରିବାକୁ ଦିଆଯାଇଛି। ଏଥିପାଇଁ ଜଣଙ୍କୁ ୨୦୦ରୁ ୨୨୦ଟି ଘର ଗଣତି କରିବାକୁ ପଡ଼ିବ। ସେମାନେ ପ୍ରତି ଗଳିକନ୍ଦି ବୁଲି ଘର ଗଣିବେ ଏବଂ ଘର ନମ୍ବରିଂ କରିବେ। ଏହାସହ ଘରର ମୁଖ୍ୟଙ୍କୁ ୩୩ଟି ପ୍ରଶ୍ନ ପଚାରିବେ। ଏପର୍ୟ୍ୟନ୍ତ, ସାରା ଦେଶରେ ୧୨ ଲକ୍ଷରୁ ଅଧିକ ପରିବାର ଅନଲାଇନ ଜରିଆରେ ଆତ୍ମ-ଗଣନା ସମାପ୍ତ କରିଛନ୍ତି। ଏହି ପରିବାର ମଧ୍ୟରୁ ଅଧାରୁ ଅଧିକ ପରିବାର ଗତ ଚାରିରୁ ପାଞ୍ଚ ଦିନ ମଧ୍ୟରେ ଏହି କାର୍ଯ୍ୟ ସମାପ୍ତ କରିଛନ୍ତି। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଗୋଆ, କର୍ଣ୍ଣାଟକ, ଓଡ଼ିଶା, ଏନଡିମିସି ଏବଂ ଦିଲ୍ଲୀ ଏନସିଆରର କ୍ୟାଣ୍ଟନମେଣ୍ଟ ଅଞ୍ଚଳ, ମିଜୋରାମ, ସିକିମ ଏବଂ ଲକ୍ଷଦ୍ୱୀପରେ ଆତ୍ମଗଣନା ପାଇଁ ୧୫ଦିନିଆ ସମୟ ବୁଧବାର ଶେଷ ହୋଇଛି। ଏବେ, ଏହି ଆଠଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଘରକୁ ଘର ଗଣନା ଆଜିଠାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।