ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତୀୟ ନିର୍ବାଚନର ଏହି ହାଇ-ଭୋଲଟେଜ୍ ଡ୍ରାମା ମଧ୍ୟରେ ନିର୍ବାଚନ କମିଶନ (ECI) ନିଜକୁ ସବୁବେଳେ ନିରପେକ୍ଷତାର ପୃଷ୍ଠପୋଷକ ଭାବେ ଉପସ୍ଥାପିତ କରିଆସିଛନ୍ତି। ମାତ୍ର ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜଣେ ଆଇପିଏସ୍ ଅଧିକାରୀଙ୍କ ନିଯୁକ୍ତି, କମିଶନଙ୍କ ‘ପାତରଅନ୍ତରହୀନ’ ନୀତି ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ଅଛନ୍ତି ଆଇପିଏସ୍ ଅଧିକାରୀ ସାରବଣା ବିବେକ ଏମ୍.। ନିର୍ବାଚନ କମିଶନଙ୍କ ଦୃଷ୍ଟିରେ ତାଙ୍କ କ୍ୟାରିୟର ଏକ ବିଚିତ୍ର ମୋଡ଼ ଦେଇ ଗତି କରୁଛି—ଯେଉଁ ଅଧିକାରୀଙ୍କୁ ଦିନେ ଓଡ଼ିଶା ନିର୍ବାଚନ ପାଇଁ “ଅଯୋଗ୍ୟ” ଘୋଷଣା କରାଯାଇଥିଲା, ଆଜି ସେ ପଶ୍ଚିମବଙ୍ଗ ଭଳି ସମ୍ବେଦନଶୀଳ ରାଜ୍ୟରେ “ନିରପେକ୍ଷ” ପୋଲିସ ପର୍ଯ୍ୟବେକ୍ଷକ ସାଜିଛନ୍ତି।
ଏପ୍ରିଲ ୨୦୨୪ରେ ଓଡ଼ିଶା ସାଧାରଣ ନିର୍ବାଚନ ସମୟରେ, ନିର୍ବାଚନ କମିଶନ ଏକ କଡ଼ା ନିର୍ଦ୍ଦେଶନାମା (ନଂ. 434/OR (HP/LA)/ES-II/2024) ଜାରି କରିଥିଲେ। ସେହି ନିର୍ଦ୍ଦେଶ ଅନୁଯାୟୀ, ତତ୍କାଳୀନ ବ୍ରହ୍ମପୁର ଏସପି ସାରବଣା ବିବେକ ଏମ୍.ଙ୍କ ସମେତ ୮ ଜଣ ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେଇ ଅଣ-ନିର୍ବାଚନୀ ପଦବୀକୁ ବଦଳି କରାଯାଇଥିଲା। ସେତେବେଳେ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା ଯେ, ଏହି ଅଧିକାରୀମାନେ ଶାସକ ବିଜେଡିର ଏଜେଣ୍ଟ ଭାବେ କାମ କରୁଛନ୍ତି। ସେମାନଙ୍କୁ ହଟାଇ କମିଶନ ଏହି ସନ୍ଦେଶ ଦେଇଥିଲେ ଯେ, ପକ୍ଷପାତିତାର ସାମାନ୍ୟ ସୁରାକ ମିଳିଲେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଠିକ୍ ଦୁଇ ବର୍ଷ ପରେ, ଏପ୍ରିଲ ୨୦୨୬ରେ ସେହି ସମାନ ଅଧିକାରୀ ସାରବଣା ବିବେକ ଏମ୍.ଙ୍କୁ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପୋଲିସ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଏହା ଏକ ଏଭଳି ପଦବୀ ଯେଉଁଠାରେ ସର୍ବୋଚ୍ଚ ସ୍ତରର ସ୍ୱଚ୍ଛତା ଓ ନିରପେକ୍ଷତା ଆବଶ୍ୟକ।
ଏଠାରେ ଏକ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି: ଯଦି ଜଣେ ଅଧିକାରୀ ୨୦୨୪ରେ ଓଡ଼ିଶାରେ ପକ୍ଷପାତିତା ପାଇଁ ଦୋଷୀ ସାବ୍ୟସ୍ତ ହୋଇ ବଦଳି ହୋଇଥିଲେ, ତେବେ ୨୦୨୬ରେ ସେ ପଶ୍ଚିମବଙ୍ଗ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ତଦାରଖ କରିବା ପାଇଁ କିଭଳି “ଯୋଗ୍ୟ” ବିବେଚିତ ହେଲେ? କମିଶନଙ୍କ ଏହି ରହସ୍ୟଜନକ ନିଷ୍ପତ୍ତି ଉପରେ ଏବେ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି।
ରାଜନୈତିକ ସମୀକ୍ଷକଙ୍କ ମତରେ, ଏହା କେବଳ ଏକ ଘଟଣା ନୁହେଁ ବରଂ ଏକ ବଡ଼ ସାମ୍ବିଧାନିକ ଅସଙ୍ଗତିର ସଙ୍କେତ।
୨୦୨୪ରେ ସାରବଣା ବିବେକ ଏବଂ ଆଶିଷ କୁମାର ସିଂଙ୍କ ଭଳି ଅଧିକାରୀଙ୍କୁ ହଟାଇବାକୁ କମିଶନଙ୍କ ଏକ ସାହସୀ ପଦକ୍ଷେପ ବୋଲି କୁହାଯାଇଥିଲା।ଯେଉଁ ଅଧିକାରୀଙ୍କୁ ପୂର୍ବରୁ ‘ବ୍ଲାକଲିଷ୍ଟ’ କରାଯାଇଥିଲା, ସେମାନଙ୍କୁ ପୁଣି ଥରେ ପଶ୍ଚିମବଙ୍ଗ ଭଳି ସମ୍ବେଦନଶୀଳ ରାଜ୍ୟରେ ନିଯୁକ୍ତି ଦେବା ଦ୍ୱାରା ନିଜେ କମିଶନ ନିଜର ପୂର୍ବ ନିଷ୍ପତ୍ତିକୁ ପରିହାସ କରୁଛନ୍ତି।
ନିର୍ବାଚନ କମିଶନ ଜନସାଧାରଣଙ୍କ ବିଶ୍ୱାସ ଉପରେ ତିଷ୍ଠି ରହିଥାଏ। ଯେତେବେଳେ କମିଶନ ଜଣେ ଅଧିକାରୀଙ୍କୁ ଥରେ ଦୋଷୀ କରି ପୁଣି ଅନ୍ୟତ୍ର ପୁରସ୍କୃତ କରନ୍ତି, ସେତେବେଳେ ତାଙ୍କର ସ୍ୱାଧୀନତା ଉପରେ ସନ୍ଦେହ ଉପୁଜେ।
“ନିର୍ବାଚନ କମିଶନ କେବଳ ନିରପେକ୍ଷ ହେଲେ ହେବନି, ବରଂ ସେ ନିରପେକ୍ଷ ବୋଲି ଦୃଶ୍ୟମାନ*ହେବା ଉଚିତ୍,” ବୋଲି ଜଣେ ପୂର୍ବତନ ନିର୍ବାଚନ ଅଧିକାରୀ କହିଛନ୍ତି। “ବାରମ୍ବାର ନିଷ୍ପତ୍ତି ବଦଳାଇବା ଦ୍ୱାରା ବିରୋଧୀ ଦଳଙ୍କୁ ସମାଲୋଚନା କରିବା ପାଇଁ ସୁଯୋଗ ମିଳିଥାଏ।”
ଶେଷରେ ପ୍ରଶ୍ନ ଉଠୁଛି, କେଉଁ ଆଧାରରେ ଏହି ଅଧିକାରୀଙ୍କୁ ‘କ୍ଲିନ୍ ଚିଟ୍’ ଦିଆଗଲା? ଯଦି ଏହାର କୌଣସି ସ୍ପଷ୍ଟୀକରଣ ନାହିଁ, ତେବେ ପଶ୍ଚିମବଙ୍ଗ ମୈଦାନରେ କମିଶନଙ୍କ ଅମ୍ପାୟାରିଂ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ।
