ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ତରଫରୁ ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଓ ସୀମା ପୁନଃନିର୍ଦ୍ଧାଣ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ କରିଛନ୍ତି । ଏହା ବିଧେୟକ ସଂସଦରେ ଉପସ୍ଥାପନ ହେବା ପରେ ଶାସକ ଦଳ ଓ ବିରୋଧୀ ସାଂସଦଙ୍କ ମଧ୍ୟରେ ଜୋରଦାର ହଟ୍ଟଗୋଳ ଦେଖିବାକୁ ମିଳିଛି । ବିରୋଧୀ ଦଳର ବିଧାୟକମାନେ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିଥିଲେ ବି ଏହା ଉପଯୁକ୍ତ ସମୟ ନୁହେଁ ବୋଲି ଦାବି କରିଛନ୍ତି । ଏହାସହ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣକୁ ବିରୋଧୀଦଳର ସାଂସଦମାନେ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି । ଏହା ଭିତରେ ଭୋଟିଂ ମାଧ୍ୟମରେ କେନ୍ଦ୍ର ସରକାର ଏହି ଦୁଇଟି ବିଧେୟକକୁ ପାରିତ କରିବାକୁ ଚେଷ୍ଟା କରିଥିଲେ । ଭୋଟିଂରେ ବିଧେୟକ ସମର୍ଥନରେ ୨୫୧ ଭୋଟ ପଡ଼ିଥିବା ବେଳେ ବିରୋଧରେ ୧୮୫ ଭୋଟ ପଡ଼ିଛି । ଏହା ମଧ୍ୟରେ ସଂସଦକୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧନ କରିଥିଲେ । ତେବେ ଚିରାଚରିତ ଢ଼ଙ୍ଗରେ ପ୍ରସଙ୍ଗକୁ ଏଡ଼ାଇ ଯାଇ ସେ ବିରୋଧୀଦଳମାନଙ୍କ ଉପରେ ବର୍ଷିଥିଲେ । ଏହାପରେ ଏହି ଦୁଇଟି ବିଧେୟକ ବାବଦରେ କହିବାକୁ ଯାଇ ଏହା ଦେଶର ଏକ ଗୌରବଶାଳୀ ସମୟ ବୋଲି କହିଛନ୍ତି । ସେ କହିଥିଲେ କି ଦେଶର ବିକାଶରେ ମହିଳାଙ୍କ ଭାଗିଦାରୀ ଦେବାର ସମୟ ଆସିଛି ଓ ଏହା ଦେଶ ପାଇଁ ଆବଶ୍ୟକ ବୋଲି ସେ ଜୋର ଦେଇଛନ୍ତି । ବିରୋଧୀଙ୍କୁ ଘେରିବାକୁ ଯାଇ ମୋଦୀ କହିଛନ୍ତି କି, ଯେଉଁ ଲୋକମାନେ ଏହି ବିଲକୁ ବିରୋଧ କରିବେ, ଦେଶର ମହିଳାମାନେ ସେମାନଙ୍କୁ କେବେ ବି କ୍ଷମା ଦେବେ ନାହିଁ । ପ୍ରଧାନମନ୍ତ୍ରୀଙ୍କ କହିବା ମୁତାବକ ବିକଶିତ ଭାରତର ସ୍ୱପ୍ନ ସେବେ ପୂରଣ ହେବ, ଯେବେ ଶାସନ ପ୍ରକ୍ରିୟାରେ ସମସ୍ତଙ୍କ ସାଥୀରେ ଓ ସମସ୍ତଙ୍କ ବିକାଶର ଧାରା ପରିଲକ୍ଷିତ ହେବ ବୋଲି କହିଛନ୍ତି ।