ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜଧାନୀରେ ଦେଖିବାକୁ ମିଳିବ ପାୱାର ସୋ’ । ଓୟୁଏଟି ସମ୍ମିଳନୀ କକ୍ଷରେ ଏକାଠି ହେବେ ଶହଶହ ବିଜୁ ପ୍ରେମୀ । ବିଜୟ ମହାପାତ୍ର, ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ପ୍ରସନ୍ନ ପାଟ୍ଟଶାଣୀ, ରବି ପାଣି, ଦିଲ୍ଲୀପ ରାୟ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭଳି ଭେଟେରାନ୍ ନେତା ସାମିଲ୍ ହେବେ । ୪ ଘଣ୍ଟା ଧରି ଚାଲିବ ଚର୍ଚ୍ଚା, ଆଲୋଚନା ।ଆଉ ଯାହା ନିଷ୍କର୍ଷ ବାହାରିବ, ତାହା ରାଜ୍ୟ ରାଜନୀତିକୁ ଦେବ ନୂଆ ଦିଶା । କିଛି ବିଧାୟକ, ସାଂସଦ ଓ ପୂର୍ବତନ ମନ୍ତ୍ରୀଙ୍କୁ ଦେଖିବାକୁ ମିଳିପାରେ ବିଜୁ ଲିଗାସି ମଞ୍ଚରେ । ତାସହ କ୍ରସ୍ ଭୋଟିଂ କରି ନିଲମ୍ବିତ ହୋଇଥିବା କିଛି ବିଧାୟକ ଏହି ମଞ୍ଚରେ ସାମିଲ୍ ହେବେ । ବିଜୁ ଅନୁଗତ ତଥା ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ ବୋଲି କହିଛନ୍ତି । ତେଣୁ ଏହି ସମାବେଶ ପରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇପାରେ । ରାଜ୍ୟସଭା ନିର୍ବାଚନ ପରେ ସକ୍ରିୟ ହୋଇଛନ୍ତି ବିଜୁ ଲିଗାସି ଏବଂ ବିଜେଡି ଉପରେ ଆଖି ରଖିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ମଞ୍ଚ ନୂଆ ଅବତାରରେ ଆସିପାରେ ।