ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ଜିଲ୍ଲାପାଳମାନଙ୍କ ସମୀକ୍ଷା ବୈଠକ । ତେବେ ବୈଠକରେ ସିଏମ୍‌-ସମ୍ପଦାର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା । ଖଣି ପ୍ରଭାବିତ ଅଞ୍ଚଳରେ ରାଜ୍ୟର ସିଏମ-ସଂପଦା ଟିମ୍‌ ଦ୍ୱାରା ଖଣିଜ ପ୍ରଭାବିତ ଗ୍ରାମ ଗୁଡ଼ିକର ତାଲିକା ପ୍ରସ୍ତୁତି କରାଯାଇଛି । କ୍ଷୁଦ୍ର ଜଳସେଚନ ଗଣନା, ଜଳାଶୟ ଗଣନା, ବୃହତ୍‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଗଣନା ଏବଂ ପ୍ରଥମ ଝରଣା ଗଣନା ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ପ୍ରଥମ ଥର କରି ରାଜ୍ୟରେ ଝରଣା ଗଣନା କାର୍ଯ୍ୟକ୍ରମ କରାଯାଉଛି, ଯାହାର ତଥ୍ୟ ଭୂତଳ ଜଳ ପରିଚାଳନା ଓ ସଂପୃକ୍ତ ଅଂଚଳରେ ପରିବେଶୀୟ ସନ୍ତୁଳନରେ ସହାୟକ ହେବ । ସେପଟେବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଂପର୍କିତ ମାତୃ ଓ ଶିଶୁ ମୃତ୍ୟୁ ଜନିତ କାରଣ ଓ ଏହାକୁ ହ୍ରାସ କରିବା ପାଇଁ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା, ଚିକିତ୍ସା ମାର୍ଗ ଦର୍ଶିକାର ସଠିକ୍‌ ଅନୁପାଳନ, ବିଭିନ୍ନ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି, ଜିଲ୍ଲା, ବ୍ଲକ ସ୍ତରରେ ନିୟମିତ ସମୀକ୍ଷା ବୈଠକ ହେବା ସଂପର୍କରେ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଥିଲା । ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା କାର୍ଡ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମଛୁଟି ପୂର୍ବରୁ ବିଦ୍ୟାଳୟଗୁଡ଼ିକରେ ସ୍କୁଲ ୟୁନିଫର୍ମ ବଣ୍ଟନ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।