ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇସ୍ରାଏଲ୍-ଲେବାନନ୍ ଅସ୍ତ୍ରବିରତି ପରେ ହର୍ମୁଜ୍‌ ପ୍ରଣାଳୀ ସଂପୂର୍ଣ୍ଣ ଖୋଲିଲା ଇରାନ୍ । ଏନେଇ ଘୋଷଣା କଲେ ଇରାନ୍‌ର ବୈଦେଶିକ ମନ୍ତ୍ରୀ ଅରାଘଚୀ । ଏବେ ହର୍ମୁଜ୍‌ରେ ଜାହାଜ ଚଳାଚଳ ହେବ ସ୍ୱାଭାବିକ । ଆମେରିକା ଓ ଇରାନ୍‌ ମଧ୍ୟରେ ଯୁଦ୍ଧ ଲାଗିଥିବାରୁ ଦୀର୍ଘଦିନ ହେବ ହର୍ମୁଜ ପ୍ରଣାଳୀ ବନ୍ଦ ଥିଲା, ଆଉ ଏବେ ହର୍ମୁଜ ପ୍ରଣାଳୀ ଖୋଲିଥିବାରୁ ସ୍ୱାଭାବିକ ଜାହାଜ ଚଳାଚଲ ହେବ ବୋଲି ଆଶା ରହିଛି । ସେପଟେ ଇରାନ ଓ ଆମେରିକା ମଧ୍ୟରେ ପରମାଣୁ ବୁଝାମଣାକୁ ନେଇ ଦୁଇ ଦେଶ ମଧ୍ୟରେ ପୁଣି ଥରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନ ନିଜର ସମୃଦ୍ଧ ୟୁରାନିୟମ୍ ଭଣ୍ଡାରକୁ ହସ୍ତାନ୍ତର କରିବାକୁ ସମ୍ମତି ପ୍ରକାଶ କରିଛି । ଇରାନ ସହିତ ଏକ ବଡ଼ ଧରଣର ଚୁକ୍ତି ହେବାକୁ ଯାଉଛି ଏବଂ ସେମାନେ ନିଜର ୟୁରାନିୟମ ଫେରାଇବାକୁ ରାଜି ହୋଇଛନ୍ତି । କିନ୍ତୁ ଇରାନ ପକ୍ଷରୁ ଏହି ଦାବିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରାଯାଇଛି । ଇରାନର ସଂସଦ ବାଚସ୍ପତି ମହମ୍ମଦ ବାଘେର ଘାଲିବାଫଙ୍କ ଅନୁଯାୟୀ, ଆମେରିକାକୁ ପରମାଣୁ ସାମଗ୍ରୀ ହସ୍ତାନ୍ତର କରିବା ନେଇ କୌଣସି ଆଲୋଚନା ହୋଇନାହିଁ ଏବଂ ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ ସେ ମିଥ୍ୟା ବୋଲି କହିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।