ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ମିଳିଥିବା ଘର ଭଡ଼ାରେ ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ତେବେ ବିଏମସି ପକ୍ଷରୁ ଶତାଧିକ ପରିବାରଙ୍କୁ ଲଟେରୀ ମାଧ୍ୟମରେ ଗୃହ ଆବଣ୍ଟନ କରାଯାଇଛି। ଏକାମ୍ର ଭିଲ୍ଲା, ମା’ ଭଗବତୀ ବସ୍ତି, ସାଲିଆ ସାହି, ଭୋଇ ନଗର ଏବଂ ସରସ୍ୱତୀ ବସ୍ତିର ମୋଟ ୧୩୮ଟି ପରିବାରଙ୍କୁ ଚନ୍ଦ୍ରଶେଖରପୁର ବୁଦ୍ଧ ବିହାର ଆଫର୍ଡେବୁଲ ହାଉସିଂ ପ୍ରକଳ୍ପ ଜରିଆରେ ଗୃହ ପ୍ରଦାନ କରାଯାଇଛି। ଭୁବନେଶ୍ୱର ମେୟରଙ୍କ ସମେତ ଡେପୁଟି ମେୟର, କମିଶନର, ଅତିରିକ୍ତ କମିଶନର, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଏବଂ କର୍ପୋରେଟରମାନେ ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କରିଛନ୍ତି। ବସ୍ତିବାସିନ୍ଦାଙ୍କୁ ସେମାନଙ୍କ ସ୍ୱପ୍ନର ଘର ସହ ସମସ୍ତ ପ୍ରକାର ସୁବିଧା ବିଏମସି ପକ୍ଷରୁ ଯୋଗାଇ ଦିଆଯାଉଛି। ସେପଟେ ହିତାଧିକାରୀମାନେ ଯେପରି ଏହି ଘରକୁ ଭଡ଼ାରେ ନଦିଅନ୍ତି, ସେଥିପ୍ରତି ସଚେତନ ରହିବା ଦରକାର। ଯଦି କେହି ଭଡ଼ା ଦେଇଥିବା ବିଏମସି ନଜରକୁ ଆସିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ମେୟର।