ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ାରେ ୪୪.୮ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ପଶ୍ଚିମ ଓଡ଼ିଶାରେ ସୂର୍ଯ୍ୟଙ୍କ ପ୍ରକୋପ ଜାରି ରହିଛି। ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେଉଥିବା ବେଳେ ଶିଳ୍ପ ସହର ଝାରସୁଗୁଡ଼ା ଏବେ ସିଜୁଛି। ଶୁକ୍ରବାର ଦିନ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ଚଳିତ ବର୍ଷର ସବୁଠୁ ଉତ୍ତପ୍ତ ଦିନ ଭାବେ ପରିଗଣିତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଏହା ସ୍ୱାଭାବିକ ତାପମାତ୍ରା ଠାରୁ ୩.୬ ଡିଗ୍ରୀ ଅଧିକ।
କେବଳ ଝାରସୁଗୁଡ଼ା ନୁହେଁ, ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ପ୍ରମୁଖ ସହରରେ ମଧ୍ୟ ପାରଦ ୪୦ ଡିଗ୍ରୀ ଉପରେ ରହିଛି:
• ଟିଟିଲାଗଡ଼: ୪୪.୦ ଡିଗ୍ରୀ
• ସମ୍ବଲପୁର: ୪୩.୬ ଡିଗ୍ରୀ
• ଅନୁଗୁଳ: ୪୩.୧ ଡିଗ୍ରୀ
• ବଲାଙ୍ଗୀର: ୪୩.୦ ଡିଗ୍ରୀ
ପାଣିପାଗ ରିପୋର୍ଟ ଅନୁଯାୟୀ, ଝାରସୁଗୁଡ଼ାରେ ବାୟୁମଣ୍ଡଳର ଆଦ୍ରତା ମାତ୍ର ୨୦ ପ୍ରତିଶତ ରହୁଛି। ଶୁଷ୍କ ପବନ ଓ ପ୍ରଖର ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୯ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଥିବା ବେଳେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଲହରି ଜନସାଧାରଣଙ୍କୁ ନାକେଦମ କରୁଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଅତି ଜରୁରୀ କାମ ନଥିଲେ ମଧ୍ୟାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାହାରକୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରଚୁର ପରିମାଣରେ ପାଣି ଓ ତରଳ ପାନୀୟ ବ୍ୟବହାର କରିବାକୁ ଡାକ୍ତରୀ ପରାମର୍ଶ ଦିଆଯାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର କୌଣସି ସୂଚନା ନଥିବାରୁ ଆଗକୁ ତାତି ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
