ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆନ୍ଧ୍ର ବି.ଇଡି ନାମଲେଖା ନାଁରେ ଠକେଇ ମାମଲାରେ ୨ ଗିରଫ। ତେବେ ଆନ୍ଧ୍ରପ୍ରଦେଶର ବିଭିନ୍ନ କଲେଜରେ ବି.ଇଡି ନାମଲେଖାଇ ଦେବା ପ୍ରଲୋଭନ ଦେଖାଇ ବହୁ ଲକ୍ଷ ଟଙ୍କା ହଡ଼ପ କରୁଥିବାର ଅଭିଯୋଗ ଆସିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଚିତ୍ତରଞ୍ଜନ ବାରିକ ଏବଂ ରିମା ଦାସ। ସେପଟେ ବୁର୍ଲା ଜ୍ୟୋତିବିହାର ନିକଟସ୍ଥ ବସନ୍ତ ବିହାରରେ ଏକ ଭଡ଼ାଘରେ ୱାନ୍ ୱାଲର୍ଡ ଏକାଡେମୀ ନାମକ ଏକ ସଂସ୍ଥା ଖୋଲି ଚିତ୍ତରଞ୍ଜନ ଏବଂ ରିମା ୫ ବର୍ଷ ଧରି ଏହି କାରନାମା ଚଳାଇଥିଲେ। ସେମାନେ ମୁଖ୍ୟତଃ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାରେ ଥିବା ୭ ହିଲ୍ସ ବି.ଇଡି କଲେଜ ଏବଂ ରାମକୃଷ୍ଣ ବି.ଇଡି କଲେଜରେ ସହଜରେ ନାମଲେଖାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଉଥିଲେ। ଅନେକ ଛାତ୍ରୀଛାତ୍ରଙ୍କଠାରୁ ଟଙ୍କା ନେଇ ନାମଲେଖା ନ କରି ସେମାନଙ୍କୁ ଜାଲ୍ ଆଡମିଶନପତ୍ର ଓ ସାର୍ଟିଫିକେଟ ପ୍ରଦାନ କରାଯାଉଥିଲା। ବି.ଇଡି ଏକ ରେଗୁଲାର କୋର୍ସ ହୋଇଥିବା ବେଳେ ଏହାକୁ ଡିଷ୍ଟାନ୍ସ କୋର୍ସ କହି ଛାତ୍ରୀଛାତ୍ରଙ୍କୁ ବିଭ୍ରାନ୍ତ କରାଯାଉଥିଲା। କେବଳ ବିଏଡ୍ ନୁହେଁ, ବରଂ ଏମ୍.ଇଡି, ବିଏ, ବିଏସ୍ସି ଭଳି ବିଭିନ୍ନ ପାଠ୍ୟକ୍ରମର ପ୍ରମାଣପତ୍ର ଯୋଗାଇଦେବା ନାଁରେ ଏହି ର଼୍ୟାକେଟ ବହୁ କୋଟି ଟଙ୍କା ଆଦାୟ କରିଥିବା ସନ୍ଦେହ କରାଯାଉଛି।
