ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭଉଣୀର ମୃତଦେହକୁ ବୋହି ବ୍ୟାଙ୍କ ସମ୍ମୁଖରେ ରଖିବା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଏବେ । ଏହା ମଧ୍ୟରେ ସମସ୍ତ ଜମା ରାଶିକୁ ହସ୍ତାନ୍ତର କଲା ବ୍ୟାଙ୍କ । ଏହା ସହ ରେଡକ୍ରସ ପକ୍ଷରୁ ୨୦ ହଜାର ଟଙ୍କା ମିଳିଥିବାର ସୂଚନା ମିଳିଛି । ତେବେ ଭାଇ ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଛନ୍ତି ବ୍ୟାଙ୍କ କର୍ମଚାରୀ । ଘରେ ପହଞ୍ଚି ବ୍ୟାଙ୍କରେ ଜମା ଥିବା ସମସ୍ତ ୧୯ ହଜାର ୪୦୨ ଟଙ୍କା ସହ ରେଡକ୍ରସ ପକ୍ଷରୁ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଅତିରିକ୍ତ ତହସିଲଦାର, ପାଟଣା ବିଡିଓ, ବ୍ୟାଙ୍କ କର୍ତ୍ତପକ୍ଷ ତିନି ଜଣ ଲିଗାଲ ହେୟାରଙ୍କ ସମ୍ମୁଖରେ ଜିତୁ ମୁଣ୍ଡାଙ୍କୁ ଟଙ୍କା ହସ୍ତାନ୍ତର କରିଛନ୍ତି । ସେପଟେ କେନ୍ଦୁଝର ଜିଲ୍ଲା ମଲ୍ଲୀପଶୀ ଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ୫୫ ବର୍ଷର କାଲାରା ମୁଣ୍ଡାଙ୍କ ବ୍ୟାଙ୍କ ଖାତାରେ ୧୯ ହଜାର ୩୦୦ ଟଙ୍କାର ଜମା ରାଶି ଥିଲା । କୌଣସି କାରଣରୁ ଭଉଣୀ କାଲାରା ମୁଣ୍ଡାଙ୍କର ଦୁଇ ମାସ ତଳେ ମୃତ୍ୟୁ ହୋଇଯାଇଥିଲା। ଭଉଣୀର ମୃତ୍ୟୁ ପରେ ଭାଇ ଜିତୁ ମୁଣ୍ଡା ଭଉଣୀଙ୍କ ଟଙ୍କା ଉଠାଣ ପାଇଁ ଯାଇଥିଲେ । ହେଲେ ବ୍ୟାଙ୍କ ଅଫିସର ସିଧା ସିଧା କହିଥିଲେ ଯେ, ଯାହା ନାମରେ ଟଙ୍କା ଅଛି ସେ ନିଜେ ଆସିବାକୁ ପଡ଼ିବ, ନହେଲେ ବ୍ୟାଙ୍କ ଟଙ୍କା ଦେବନାହିଁ। ବ୍ୟାଙ୍କ ଅଧିକାରୀଙ୍କ ଠାରୁ ଏପରି କଥା ଶୁଣିବା ପରେ ସିଧା ମଶାଣୀରେ ପହଞ୍ଚିଥିଲେ। ମଶାଣୀରେ ଯେଉଁ ଗାତରେ ସେ ଭଉଣୀକୁ ପୋତିଥିଲେ, ସେହି ଗାତକୁ ଖୋଳି ଗଳିତ ମୃତଦେହକୁ ବାହାର କରିଥିଲେ । ଗୋଟେ ଜରି ଅଖାରେ ଭର୍ତ୍ତି କରି ଭଉଣୀର ଶବକୁ ମଶାଣୀରୁ ନେଇ ଚାଲିଥିଲେ ବ୍ୟାଙ୍କକୁ। ଚାରି କିଲୋମିଟର ଖରାରେ ଚାଲି ଚାଲି ଜିତୁ ନିଜ କାନ୍ଧରେ ଭଉଣୀର ଗଳିତ ମୃତଦେହ ଧରି ବ୍ୟାଙ୍କ ଆସିଲେ । ଆଉ ବ୍ୟାଙ୍କ ଆଗରେ ନିଜ ଭଉଣୀକୁ ଶୁଆଇ ଦେଇ କହିଥିଲେ, ଏଥର ମୋ ଭଉଣୀ ଆସିଛି। ଏବେ ତା ନାଁରେ ଥିବା ଟଙ୍କା ଦିଅ। ଏଭଳି ଘଟଣା ଦେଖି ବ୍ୟାଙ୍କ କର୍ତ୍ତୃପକ୍ଷ ଗେଟ୍ ବନ୍ଦ କରିଦେଇଥିଲେ। କୌଣସି ଅଧିକାରୀଙ୍କ ମୁହଁରୁ ବାହାରିନଥିଲା ପଦୁଟିଏ ବି କଥା । ଏବେ ବ୍ୟାଙ୍କ କର୍ମଚାରୀ, ତହସିଲଦାର, ପାଟଣା ବିଡିଓ ପହଞ୍ଚି ରେଡକ୍ରସ ପକ୍ଷରୁ ୨୦ ହଜାର ଟଙ୍କା ଏବଂ ବ୍ୟାଙ୍କରେ ଜମା ରାଶିକୁ ହସ୍ତାନ୍ତର କରିଥିବାର ସୂଚନା ମିଳିଛି ।
